ଦେଶରେ ପ୍ରଥମ: CISFରେ ଅଲ-ୱିମେନ୍ ରିଜର୍ଭ ବାଟାଲିୟନକୁ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ରେ ପ୍ରଥମ ଥର ଏକ ଅଲ-ୱିମେନ ବାଟାଲିୟନ ଗଠନ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ମହିଳା ସୁରକ୍ଷା କର୍ମୀଙ୍କ ପାଇଁ ଏହା ଏକ ଐତିହାସିକ ନିଷ୍ପତ୍ତି କୁହାଯାଉଛି । ମହିଳା ସଶକ୍ତିକରଣ ଓ ରାଷ୍ଟ୍ରୀ ସୁରକ୍ଷାରେ ମହିଳାଙ୍କ ଭାଗିଦାରୀକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଗୃହ ମନ୍ତ୍ରଣାଳୟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ସିଆଇଏସଏଫରେ ପ୍ରଥମ ଥର ମହିଳା ବାଟାଲିୟନ ଗଠନ ହେବାକୁ ଯାଉଥିବା ବେଳେ ତାହା ରାଷ୍ଟ୍ରୀୟ ସୁରକ୍ଷାରେ ମହିଳାଙ୍କ ଭୂମିକାକୁ ବୃଦ୍ଧି କରିବ । ବିଶେଷ କରି ପ୍ରଶିକ୍ଷଣ ସହିତ ଏହି ବାଟାଲିୟନ ଭିଆଇପି ସୁରକ୍ଷା, ବିମାନ ବନ୍ଦର ଓ ମେଟ୍ରୋର ସୁରକ୍ଷା ପରି ଦାୟିତ୍ୱ ନିର୍ବାହ କରିବେ ।

ମହିଳାଙ୍କ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ସେବା କରିବାର ଏକ ଲୋକପ୍ରିୟ ବିକଳ୍ପ ହେଉଛି ସିଆଇଏସଏଫ । ବର୍ତ୍ତମାନ ସିଆଇଏସଏଫରେ ୭ ପ୍ରତିଶତରୁ ଅଧିକ ମହିଳା କାର୍ଯ୍ୟରତ ରହିଛନ୍ତି । ମହିଳା ବାଟାଲିୟନ ସହ ଯୋଡ଼ି ହେବା ପାଇଁ ସାରା ଦେଶର ଯୁବ ମହିଳାଙ୍କୁ ସିଆଇଏସଏଫରେ ସାମିଲ ହେବାକୁ ଓ ରାଷ୍ଟ୍ରର ସେବା କରିବାକୁ ପ୍ରେରଣା ମିଳିବ । ଏଥିସହିତ ସିଆଇଏସଏଫରେ ମହିଳାଙ୍କୁ ଏକ ନୂଆ ପରିଚୟ ମିଳିବ । ସିଆଇଏସଏଫ ମୁଖ୍ୟାଳୟ ପକ୍ଷରୁ ଏହି ନୂଆ ମହିଳା ବାଟାଲିୟନ ପାଇଁ ଭର୍ତ୍ତି ପ୍ରକ୍ରିୟା, ପ୍ରଶିକ୍ଷଣ ଓ ମୁଖ୍ୟାଳୟର ଲୋକେସନ ଧାର୍ଯ୍ୟ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।