fbpx

ଭାରତ ଆର୍ଚେରୀର ନୂଆ କିଙ୍ଗ: ୧୯୮୨ ମସିହାରୁ ଟପରେ ରହି ଆସୁଥିବା ଦକ୍ଷିଣ କୋରିଆ ପଛରେ ପଡ଼ିଲା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ସମାପ୍ତ ହୋଇଥିବା ୧୯ତମ ଏସୀୟ କ୍ରୀଡ଼ାରେ ଭାରତର କ୍ରୀଡ଼ାବିତମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହି ଇଭେଣ୍ଟର ୧୪ତମ ଦିବସରେ ଭାରତ ଶାନଦାର ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲା । ଫଳରେ ପ୍ରଥମ ଥର ପାଇଁ ଭାରତ ପଦକ ବିଜୟରେ ଶତକ ପୂରଣ କରିବା ସହିତ ଏସୀୟ କ୍ରୀଡ଼ା ଇତିହାସର ସମସ୍ତ ରେକର୍ଡ ଭାଙ୍ଗି ଭାରତ ନୂଆ ରେକର୍ଡ ସ୍ଥାପନ କରିଥିଲା ।

ତେବେ ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତିରନ୍ଦାଜୀରେ ନୂଆ ଇତିହାସ ରଚିଛି । ଆର୍ଚେରୀ ମେଡାଲ ଟେବୁଲରେ ଭାରତ ଟପରେ ପହଞ୍ଚିଛି । ୧୯୮୨ ମସିହାଠାରୁ ଦକ୍ଷିଣ କୋରିଆ ଏସୀୟ କ୍ରୀଡ଼ାର ତିରନ୍ଦାଜୀ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ଅଧିକାର କରି ଆସୁଥିଲା । ମାତ୍ର ଭାରତ ହ୍ୱାଙ୍ଗଝୁରେ ଆର୍ଚେରୀରେ ଦକ୍ଷିଣ କୋରିଆର ଆଧିପତ୍ୟକୁ ସମାପ୍ତ କରି ନୂଆ କିଙ୍ଗ ଭାବେ ଉଭା ହୋଇଛି ।

ତିରନ୍ଦାଜୀରେ ଭାରତ ୫ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ୨ଟି ବ୍ରୋଞ୍ଜ ସହିତ ମୋଟ ୯ଟି ପଦକ ଜିତିଛି । ସେହିପରି ଦକ୍ଷିଣ କୋରିଆ ୪ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ସହିତ ୧୧ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ରହିଥିବା ମଙ୍ଗୋଲିଆ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛି । ଚତୁର୍ଥ ସ୍ଥାନରେ ରହିଥିବା ଚୀନ ୨ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହିତ ୩ଟି ପଦକ ଜିତିଛି । ସେହିପରି ଆଥଲେଟିକ୍ସରେ ଭାରତ ୬ଟି ସ୍ୱର୍ଣ୍ଣ ସହ ୨୯ଟି ପଦକ ଜିତି ତୃତୀୟ ସ୍ଥାନରେ ରହି ନୂଆ ରେକର୍ଡ କରିଥିଲା

ଚଳିତ ବର୍ଷ ଭାରତ ମୋଟ ୧୦୭ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି । ସେଥିମଧ୍ୟରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ରହିଛି । ତେବେ ଏସୀୟ କ୍ରୀଡ଼ାର ପଦକ ତାଲିକାରେ ଶୀର୍ଷରେ ରହିଥିବା ଚୀନ ୨୦୦ ସ୍ୱର୍ଣ୍ଣ ସହ ୩୮୨ ପଦକ, ଦ୍ୱିତୀୟ ସ୍ଥାନରେ ରହିଥିବା ଜାପାନ ୫୧ ସ୍ୱର୍ଣ୍ଣ ସହ ୧୮୬ ପଦକ ଓ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ କୋରିଆ ୪୨ ସ୍ୱର୍ଣ୍ଣ ସହ ୧୯୦ ପଦକ ଜିତିଛି ।

Get real time updates directly on you device, subscribe now.