fbpx

ଓଡ଼ିଶାରେ ପ୍ରଥମ: ରାଜ୍ୟରେ ଗଠନ ହେବ ‘ବାଣିଜ୍ୟ ପରିଷଦ’: ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ସକାଶେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷିଠାରୁ ଆରମ୍ଭ କରି ପର୍ଯ୍ୟଟନ କ୍ଷେତ୍ରରେ ୫-ଟି ଉପକ୍ରମର ଅନୁପାଳନ କରାଯାଉଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ମାର୍ଟ ପାଇକାରୀ ବଜାର ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ବିଚାର କରାଯାଉଛି ।

ସୂଚନା ମୁତାବକ, ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବାଣିଜ୍ୟ ପରିଷଦ ବା ଟ୍ରେଡ ବୋର୍ଡ ଗଠନ କରିବାକୁ ଚାହୁଁଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ବାଣିଜ୍ୟ ପରିଷଦ ଗଠନ ହେବାକୁ ଯାଉଥିବା ବେଳେ ଏହା କାର୍ଯ୍ୟକାରୀ ହେଲେ ସାରା ରାଜ୍ୟରେ ପାଖାପାଖି ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇପାରିବେ । ସେମାନଙ୍କର ବିଭିନ୍ନ ସମସ୍ୟା ଅତି ସହଜରେ ଓ ଯଥାଶୀଘ୍ର ସମାଧାନ ହୋଇ ପାରିବ । ଏଥିସହିତ କ୍ଷୁଦ୍ର ବ୍ୟବସାୟ ଉପରେ ନିର୍ଭର କରି ପରିବାର ଚଳାଉଥିବା ଗରିବ ଶ୍ରେଣୀର ଲୋକମାନେ ନିଜର ଦାବି ଓ ସମସ୍ୟା ସିଧାସଳଖ ସରକାରଙ୍କୁ ଜଣାଇ ପାରିବେ ।

ଖୁଚୁରା ବଜାରରେ କିପରି ସବୁ ସମୟରେ ପର୍ଯ୍ୟାପ୍ତ ମାତ୍ରରେ ଗୁଣାତ୍ମକ ଜିନିଷ ମହଜୁଦ ରହିବ ସେନେଇ ରାଜ୍ୟ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ସାଧାରଣ ଭାବେ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବାରୁ ବଡ଼ ବଡ଼ ମାଲବାହୀ ଯାନ ସହର ମଧ୍ୟକୁ ପ୍ରବେଶ କରିପାରୁ ନାହିଁ । ତେଣୁ ସାମଗ୍ରୀର ଉପଲବ୍ଧତା ହ୍ରାସ ପାଉଥିବାରୁ ବିଭିନ୍ନ ମାର୍କେଟରେ ଅଲଗା ଅଲଗା ଦର ରହୁଛି । ତେବେ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ସାମଗ୍ରୀ ଉପଲବ୍ଧ ହେଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏଥିପାଇଁ ପ୍ରାଥମିକ ଭାବେ ଖୋର୍ଦ୍ଧା ଓ ଜଟଣୀରେ ୧୫ରୁ ୨୦ ଏକର ଜମି ଚିହ୍ନଟ କରାଯାଇ ପାଇକାରୀ ମାର୍କେଟ ପ୍ରତିଷ୍ଠା କରାଯିବା ନେଇ ଯୋଜନା କରାଯାଉଛି । ଏହି ସ୍ଥାନରେ ବିଜୁଳି, ଜଳ, ୱେୟାର ହାଉସ, ପ୍ରୋସେସିଂ କେନ୍ଦ୍ର, ବର୍ଜ୍ୟବସ୍ତୁ ପରିଚାଳନା, ପାର୍କିଂ ବ୍ୟବସ୍ଥା ରହିବ ବୋଲି କୁହାଯାଉଛି । ଏଥିସହିତ ରାଜ୍ୟର ବିଭନ୍ନ ସହର ଉପକଣ୍ଠରେ ରାଶନ, ପନିପରିବା ଠାରୁ ଆରମ୍ଭ କରି ଆମିଷ, ଖାଦ୍ୟଶସ୍ୟର ସ୍ମାର୍ଟ ପାଇକାରୀ ମାର୍କେଟ ଖୋଲିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.