ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ବଡ ପଦକ୍ଷେପ: ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ରୀୟ ଦଳର ସର୍ଭେ

ରାଇରଙ୍ଗପୁର: ସାରା ଓଡିଶାବାସୀ ଏବଂ ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖୁବଶୀଘ୍ର ପ୍ରତିଷ୍ଠା ହୋଇପାରେ ଆଦିବାସୀ ବିଶ୍ୱବିଦ୍ୟାଳୟ । ତେବେ ମୟୁରଭଞ୍ଜ ଜିଲ୍ଲାରେ ରାଜ୍ୟର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ ଖୋଲାଯିବା ନେଇ ଯୋଜନା କରାଯାଇଛି । ଏ ସମ୍ବନ୍ଧରେ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ଜିଲ୍ଲାର ୪ଟି ତହସିଲ ଅଞ୍ଚଳରେ ସର୍ବେକ୍ଷଣ କରିଛନ୍ତି ।

ସୂଚନା ଅନୁସାରେ, ଭାରତର ଏକମାତ୍ର ଟ୍ରାଇବାଲ ୟୁନିଭର୍ସିଟିର ଶାଖା ଖୋଲିବା ପାଇଁ ମୟୁରଭଞ୍ଜ ଜିଲ୍ଲାର ନାଁ ସୁପାରିଶ କରାଯାଇଛି । ତେବେ ମଧ୍ୟପ୍ରଦେଶରେ ରହିଛି ଭାରତର ଏହି ଏକମାତ୍ର ଆଦିବାସୀ ବିଶ୍ୱବିଦ୍ୟାଳୟ ‘ଇନ୍ଦିରା ଗାନ୍ଧି ନେସନାଲ ଟ୍ରାଇବାଲ ୟୁନିଭର୍ସିଟି’ । ବର୍ତ୍ତମାନ ଏହାର ଏକ ଶାଖା ଓଡିଶାରେ ଖୋଲିବା ନେଇ ଯୋଜନା କରାଯାଇଛି । ତେଣୁ ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଠାକାର ପରିବେଶ ସର୍ବେକ୍ଷଣ କରିଛନ୍ତି । ତେବେ ଏହି ବିଶ୍ୱବିଦ୍ୟାଳୟଟିକୁ ଦକ୍ଷତା ବିଶ୍ୱବିଦ୍ୟାଳୟ ଭାବରେ ପ୍ରତିଷ୍ଠା କରିବା ପାଇଁ ରହିଛି କେନ୍ଦ୍ରମନ୍ତ୍ରୀଙ୍କ ସ୍ୱପ୍ନ । ସେଥିପାଇଁ ଏକ କେନ୍ଦ୍ରୀୟ ଟିମ୍ ଆସି ଜିଲ୍ଲାର ଜାମଶୋଳା, ବିଶୋଇ ଓ ବହଳଦା ବ୍ଲକ ଅଧୀନସ୍ଥ କାଦୁଆଣୀଠାରେ ଥିବା ଜମିକୁ ସର୍ବେକ୍ଷଣ କରାଯାଇଛି । ଉପଯୁକ୍ତ ଜାଗା ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କୁ ଏହାର ସୁପାରିଶ କରାଯାଇ ସେଠାରେ ପ୍ରତିଷ୍ଠା କରାଯିବ ସ୍ୱପ୍ନର ଆଦିବାସୀ ୟୁନିଭର୍ସିଟି ।

ତେବେ ଏଥିପାଇଁ ଅତି କମ୍ ରେ ୫୦ ଏକର ଜମିର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ଉପଯୁକ୍ତ ଜମିକୁ ବିନା ମୂଲ୍ୟରେ ଯୋଗାଇ ଦେବା ପରେ ବିଶ୍ବବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ମୟୁରଭଞ୍ଜ ପୂର୍ବରୁ ମଣିପୁରରେ ଏହି ବିଶ୍ୱବିଦ୍ୟାଳୟର ଏକ ଶାଖା ଖୋଲିତିବା ବେଳେ ଆସାମର କାଜିରଙ୍ଗାରେ ଆଉ ଏକ ଶାଖା ଖୋଲିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।