ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ ଉପରେ ନିଜର ମତାମତ ରଖିଥିଲେ । ତେବେ ଏହି ବିଲ୍ ଆଇନରେ ପରିଣତ ହେବା ପରେ ଜମ୍ମୁ କଶ୍ମୀରରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଜମ୍ମୁ କଶ୍ମୀରର ବିଲୟର ନିଷ୍ପତ୍ତି ମହାରାଜ ହରି ସିଂହ ନେଇଥିଲେ । ତା’ପରେ ସେଠାରେ ସବୁକିଛି ବଦଳି ଯାଇଥିଲା । ନୂଆ ବିଲ ବିସ୍ଥାପିତଙ୍କୁ ଅଧିକାର ପ୍ରଦାନ କରିବ ବୋଲି ଶାହ କହିଛନ୍ତି ।
୧- ଗତ ୨୦୧୯ରେ ମୋଦୀ ସରକାର ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ଆଣିଥିଲେ । ତା’ପରେ ଅଗଷ୍ଟ ମାସ ୫ରେ ଜମ୍ମୁ କଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରୁଥିବା ଧାରା ୩୭୦କୁ ହଟାଇ ଦିଆଯାଇଥିଲା । ଏହାଫଳରେ ଜମ୍ମୁ କଶ୍ମୀର ଓ ଲଦ୍ଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲେ । ଏବେ ସେଥିରେ କିଛି ସଂଶୋଧନ କରାଯାଇଛି । ଏହାଫଳରେ ଜମ୍ମୁ କଶ୍ମୀରର ବିଧାନସଭାର ସିଟ୍ ସଂଖ୍ୟା ବୃଦ୍ଧି ପାଇବା ସହ ୧୧୪ରେ ପହଞ୍ଚିଯିବ ।
୨- ବିସ୍ଥାପିତଙ୍କ ପାଇଁ କଶ୍ମୀରରେ ଦୁଇଟି ସିଟ୍ ସଂରକ୍ଷିତ ରହିବ । ଗୋଟିଏ ସିଟ୍ ପିଓକେ ବିସ୍ଥାପିତଙ୍କୁ ଦିଆଯିବ । କଶ୍ମୀରରେ ପ୍ରବାସୀଙ୍କୁ ଦିଆଯାଉଥିବା ୨ଟି ସିଟ୍ ମଧ୍ୟରୁ ଗୋଟିଏ ସିଟ୍ ମହିଳାଙ୍କୁ ବାଧ୍ୟତାମୂଳକ ଭାବେ ପ୍ରଦାନ କରାଯିବ ।
୩- ସଂରକ୍ଷିତ ସିଟ ଉପରେ କଶ୍ମୀର ପ୍ରବାସୀ ଓ ବିସ୍ଥାପିତ ନାଗରିକଙ୍କୁ ନାମିତ କରିବା କାର୍ଯ୍ୟ ଉପରାଜ୍ୟପାଳ କରିବେ । ଏହି ସିଟଗୁଡ଼ିକ ଜମ୍ମୁ କଶ୍ମୀରର ୯୦ଟି ସିଟଠାରୁ ଅଲଗା ରହିବେ । ଏପରି ଭାବେ ମୋଟ ସିଟ୍ ସଂଖ୍ୟା ବଢ଼ି ୯୩ରେ ପହଞ୍ଚିବ । ଏସଟିଙ୍କ ପାଇଁ ୯ଟି ଓ ଏସସିଙ୍କ ପାଇଁ ୭ଟି ସିଟ୍ ଏପରି ଭାବେ ୧୬ଟି ସିଟ୍ ସଂରକ୍ଷଣ କରାଯିବ ।
୪- ଏକ ରିପୋର୍ଟ ମୁତାବକ, ଜମ୍ମୁରେ କଠୁଆ, ରାଜୌରୀ, କିଶତବାଡ଼, ସାମ୍ବା, ଡୋଡା ଓ ଉଧମପୁରରେ ୧-୧ଟି ସିଟ୍ ବଢ଼ାଯାଇଛି । କଶ୍ମୀରରେ କୁପବାଡ଼ା ଜିଲ୍ଲାରେ ୧ଟି ସିଟ୍ ବଢ଼ିଛି । ପୂର୍ବରୁ ସେଠାରେ ୫ଟି ଆସନ ରହିଥିବା ବେଳେ ଏବେ ୬ରେ ପହଞ୍ଚିବ ।
୫- ଏହି ସଂଶୋଧନ ବିଲ ଜମ୍ମୁ କଶ୍ମୀରରେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗର ଲୋକଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିବ । ଏଥିସହିତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ କଲେଜ, ବିଶ୍ୱବିଦ୍ୟାଳୟରେ ମଧ୍ୟ ସଂରକ୍ଷଣ ମିଳିବ । ସରକାର ପୂର୍ବରୁ ସେମାନଙ୍କୁ ପଛୁଆ ଘୋଷଣା କରିଥିଲେ । ଏହି ସଂଶୋଧିତ ବିଲର ଫାଇଦା ସେମାନେ ଉଠାଇବା ସହ ପଛୁଆ ବର୍ଗରୁ ମୁକ୍ତି ପାଇଁ ପ୍ରୟାସ କରାଯିବ ।