fbpx

ପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ: ଏକସଙ୍ଗେ ଯାତ୍ରା କରିବେ ୫ ହଜାର ପର୍ଯ୍ୟଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା ନେବେ । ଏଥିରେ ଏକ ସଙ୍ଗେ ୫ ହଜାର ପର୍ଯ୍ୟଟକ ଯାତ୍ରା କରିପାରିବେ । ଏଥିସହିତ ଜେଟ ସ୍କି, ସର୍ଫିଂ, ପାରାସେଲିଂ, ୱାର ସ୍କେଟିଂ, ଡାଇଭିଂ ଆଜି ବିଭିନ୍ନ ପ୍ରକାରର ଜଳ ରୋମାଞ୍ଚର ମଜା ନେଇପାରିବେ । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜଳକ୍ରୀଡ଼ା କମିଟି ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ଆସନ୍ତା ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବ । ପୁରୀର ସିପସରୁବାଲି ସମୁଦ୍ରରେ ଏହି ଭସା ପୋଲ ନିର୍ମାଣ ହେବ ବୋଲି ପରିକଳ୍ପନା କରାଯାଇଛି । ନୋ ଅବଜେକସନ ସାର୍ଟିଫିକେଟ (ଏନଓସି) ମିଳିବା ପରେ ଏହି କାର୍ଯ୍ୟ ଆଗେଇବ ବୋଲି କୁହାଯାଇଛି । ସାମୁଦ୍ରିକ ଜଳକ୍ରୀଡ଼ା ରୋମାଞ୍ଚ ପାଇଁ ନିକଟରେ ଏକ କମ୍ପାନୀ ଆବେଦନ କରିଥିବା ଜଣାପଡ଼ିଛି । ଭସା ପୋଲ ପାଇଁ ଉକ୍ତ କମ୍ପାନୀ ୩୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବ ବୋଲି ସୂଚନା ମିଳିଛି ।

ଜଳ ପର୍ଯ୍ୟଟନକୁ ରାଜ୍ୟର କେନ୍ଦ୍ର ଭାବେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆସନ୍ତା ୩ ବର୍ଷ ମଧ୍ୟରେ ସରକାର ୱାଟର ସ୍ପୋର୍ଟସ, ହାଉସ ବୋଟ, କ୍ରୁଜ ଟୁରିଜିମ, ଆକ୍ୱାରିୟମ, ଆକ୍ୱା ପାର୍କ, ଆଡଭେଞ୍ଚର ସ୍ପୋର୍ଟସ ଆଦି ଏକାଧିକ ପ୍ରକଳ୍ପ ନିର୍ମାଣ କରିବେ । ନିକଟରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଟ୍ରାଭେଲ ବଜାର-୨୦୨୨ ଅବସରରେ ଏନେଇ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆଗକୁ ଜଳଭଣ୍ଡାର, ବେଳାଭୂମି, ହ୍ରଦ, ନଦୀର ଭିତ୍ତିଭୂମିକୁ ସୁଦୃଢ଼ୀକରଣ କରାଯିବ ।

Get real time updates directly on you device, subscribe now.