ସ୍କୁଲରେ ବାକି ଥିଲା ୮୦୦ ଟଙ୍କାର ଫିସ୍‌, ପରୀକ୍ଷା ହଲରେ ଅପମାନିତ କଲେ ପ୍ରିନ୍ସିପାଲ, ପ୍ରାଣ ହାରିଦେଲା ଛାତ୍ରୀ

ପ୍ରାଣ ହାରିଦେଲେ ନବମ ଶ୍ରେଣୀ ଛାତ୍ରୀ, ସ୍କୁଲରେ ଭରିନଥିଲେ ଫିସ୍‌, ପ୍ରିନ୍ସିପାଲ ପରୀକ୍ଷା ହଲରେ କଲେ ବେଜିତ୍‌

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରତାପଗଢ ଜିଲ୍ଲାରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ଫାଶି ଦେଇ ପ୍ରାଣ ହରାଇଛି। ବାର୍ଷିକ ପରୀକ୍ଷା ଦେବା ଲାଗି ତାଙ୍କୁ ଅନୁମତି ଦିଆଯାଇନଥିଲା ଏବଂ ଫିସ ଭରିବା ଲାଗି ତାଙ୍କୁ ସ୍କୁଲ ପ୍ରଶାସନ ପକ୍ଷରୁ ଅପମାନିତ କରାଯିବାର ଦାବି କରାଯାଉଛି।

ପୋଲିସ ଶନିବାର କହିଛି ଯେ, ତାଙ୍କ ମାଆ ପୁନମ ଦେବୀ ଏହି ମାମଲାରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ, କମଲା ଶରଣ ଯାଦବ ଇଣ୍ଟର ବିଦ୍ୟାଳୟର ଜଣେ ଛାତ୍ରୀ ରିୟା ପ୍ରଜାପତିଙ୍କୁ ୮୦୦ ଟଙ୍କା ବାକି ଫିସ୍ ମଗାଯାଇ, ତାଙ୍କୁ ଆଡମିଟ କାର୍ଡ ଦିଆଯାଇନଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଝିଅର ମାଆ ଅଭିଯୋଗ ଲଗାଇଛନ୍ତି ଯେ, ଯେତେବେଳେ ଝିଅଟି ଶନିବାର ଦିନ ପରୀକ୍ଷା ଦେବାକୁ ଯାଇଥିଲା, ସେତେବେଳେ କଲେଜ ପ୍ରବନ୍ଧକ ସନ୍ତୋଷ କୁମାର ଯାଦବ, ପ୍ରିନ୍ସିପାଲ ରାଜକୁମାର ଯାଦବ, ଷ୍ଟାଫ ସଦସ୍ୟ ଦୀପକ ସରୋଜ, ଚପରାସୀ ଧନିରାମ ଏବଂ ଜଣେ ଶିକ୍ଷକ ତାଙ୍କୁ ଅପମାନିତ କରିଥିଲେ।

ଏଥିସହ ସେହି ଝିଅଟିକୁ ପରୀକ୍ଷା କେନ୍ଦ୍ରରୁ ଫେରାଇ ଦିଆଯାଇଥିଲା। କଲେଜରୁ ଅପମାନିତ ହୋଇ ଫେରିଥିବା ଛାତ୍ରୀ ଖୁବ ଦୁଃଖି ଥିଲେ ଏବଂ ଘରକୁ ଆସି ଏଭଳି ପଦକ୍ଷେପ ନେଇଛନ୍ତି।

ଏହି ସମୟରେ ତାଙ୍କ ମାଆ ବିଲରେ କାମ କରୁଥିଲେ। ସେ ବିଲରୁ ଫେରିବା ପରେ ଏହି ଘଟଣା ଘଟିଥିବା ଦେଖିବାକୁ ପାଇଲେ।