୪ ବର୍ଷ ପରେ ପ୍ରଥମଥର ଏଲନ୍ ମସ୍କଙ୍କୁ ପଛରେ ପକାଇଲେ ଜୁକରବର୍ଗ, ହେଲେ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗଙ୍କ ସଂପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି । ସେ ଏହି ମାମଲାରେ ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ପାଲଟି ଯାଇଛନ୍ତି । ନଭେମ୍ବର ୨୦୨୦ପରେ ପ୍ରଥମ ଥର ମାର୍କ ଜୁକରବର୍ଗ ଏଲନ୍ ମସ୍କଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଦଖଲ କରିଛନ୍ତି ।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମାର୍କ ଜୁକରବର୍ଗଙ୍କ ସଂପତ୍ତି ଶୁକ୍ରବାର ୫.୬୫ ଅରବ ଡଲାର ପର୍ଯ୍ୟନ୍ତ ବୃଦ୍ଧି ଘଟି ୧୮୭ ଅରବ ଡଲାରରେ ପହଞ୍ଚିଥିଲା । ଚଳିତ ବର୍ଷ ତାଙ୍କ ସଂପତ୍ତିରେ ୫୮.୯ ଅରବ ଡଲାର ବୃଦ୍ଧି ଘଟିଛି । ତେବେ ଫେସବୁକର ମୂଳ କମ୍ପାନୀ ମେଟାର ସେୟାର କାରବାର କ୍ଷେତ୍ରରେ ଦ୍ରୁତ ବୃଦ୍ଧି କାରଣରୁ ଶୁକ୍ରବାର ତାଙ୍କ ସଂପତ୍ତିରେ ବୃଦ୍ଧି ଘଟିଛି ।
ଶୁକ୍ରବାର ମେଟାର ସେୟାର ରେକର୍ଡ ହାଇ ସ୍ତରରେ ପହଞ୍ଚିଯାଇଥିଲା । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜୁକରବର୍ଗଙ୍କ ମୋଟ ସଂପତ୍ତି ୧୮୭ ଅରବ ଡଲାର ହୋଇଛି । ଅନ୍ୟପକ୍ଷରେ ଏଲନ୍ ମସ୍କଙ୍କ ମୋଟ ସଂପତ୍ତି ୧୮୧ ଅରବ ଡଲାର ହୋଇଛି ଓ ସେ ବିଶ୍ୱର ୪ର୍ଥ ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଶୁକ୍ରବାର ମସ୍କଙ୍କ ସଂପତ୍ତିରେ ୪.୫୨ ଡଲାର ହ୍ରାସ ପରିଲକ୍ଷିତ ହୋଇଛି ।

Get real time updates directly on you device, subscribe now.