fbpx

‘କୋକୋ’କୁ ଛଡାଇ ନେଲା ବନ ବିଭାଗ: ମାଲିକ ନୁହେଁ, ଚିଡିଆଖାନାରେ ରହିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ମାଲିକ ନୁହେଁ ବରଂ ନନ୍ଦନକାନନ ଚିଡିଆଖାନାରେ ରହିବ ‘କୋକୋ’ । ଆଇନ ବୁଝିଲାନି ସ୍ନେହ ମମତା । ମାଲିକଠୁ କୋକୋକୁ ଛଡାଇ ନେଇଛି ବନବିଭାଗ । ୧୨ଦିନର ନିଖୋଜ ପରେ ଶୁଆ କୋକୋ ମିଳିଲା । ମାତ୍ର ବଦଳିଗଲା ଠିକଣା । ଅନିଚ୍ଛା ସତ୍ତେ୍ୱ ଶୁଆକୁ ଖୁଆଇପିଆଇ ନିଜ ପାଖରୁ ବିଦାୟ ଦେଇଛନ୍ତି ପ୍ରଫେସର ସସ୍ମିତା ବେହେରା । ବନପ୍ରାଣୀ ଆଇନ ଅନୁଯାୟୀ କେହି ଘରେ ବନ୍ୟଜନ୍ତୁ ବା ପକ୍ଷୀକୁ ରଖିପାରିବେ ନାହିଁ ବୋଲି ବନବିଭାଗ ଅଧିକାରୀ କହିଛନ୍ତି । ୧୨ଦିନ ନିଖୋଜ ରହିବା ପରେ ସୋମବାର ଭୁବନେଶ୍ୱର କେଶୁରା ଅଞ୍ଚଳରୁ ମିଳିଥିଲା କୋକୋ । ପ୍ରାୟ ଏକବର୍ଷ ହେବ ସେ କଟକ ନିବାସୀ ସସ୍ମିତା ବେହେରାଙ୍କ ଘରେ ରହୁଥିଲା । ତାକୁ ଘରର ସନ୍ତାନ ଭାବେ ପାଳିଥିଲେ ସସ୍ମିତା । କୋକୋ ପିଞ୍ଜରାରେ ରହୁନଥିଲା, ଖୋଲାରେ ବୁଲୁଥିଲ।

ସୂଚନାନୁଯାୟୀ, କିଛିଦିନ ତଳେ ମାସ୍କ ପିନ୍ଧିଥିବା କିଛି ଲୋକଙ୍କୁ ଦେଖି କୋକୋ ଡରିଯାଇଥିଲା ଓ ଘରୁ ପଳାଇଯାଇଥିଲା । କୋକୋକୁ ଖୋଜିବା ପାଇଁ ସସ୍ମିତା ସହରରେ ପୋଷ୍ଟ ମାରିବା ସହ ଲିପ୍ଲେଟ ବାଣ୍ଟି ବିଜ୍ଞାପନ ଦେଇ ୫ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ । କୋକୋ ମିଳିବା ପରେ ସସ୍ମିତା ବେଶ ଖୁସି ହୋଇଯାଇଥିଲେ । ତେବେ ବନବିଭାଗ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରି କୋକୋକୁ ନେଇଯାଇଥିଲେ । ‘କୋକୋ’ର ଦେହ ଅସୁସ୍ଥ ଥିବା କହି ସସ୍ମିତା ଚିନ୍ତାପ୍ରକଟ କରିଛନ୍ତି । ବନବିଭାଗ ପକ୍ଷରୁ କୁହାଯାଇଛି ଯେ, ଶୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଓ ପରେ ତାକୁ ଚିଡିଆଖାନାରେ ରଖାଯିବ ।

Get real time updates directly on you device, subscribe now.