fbpx

ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଗାଡି: ନିଆଁ ଲିଭାଇବା ପାଇଁ ଯାଇଥିବା ବେଳେ ଘଟିଲା ଅଘଟଣ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ଏବେ ଜଙ୍ଗଲ ଜଳୁଛି। କେଉଁଠି ୫ ଦିନ ତା କେଉଁଠି ୭ ଦିନ ହେବ ଜଙ୍ଗଲ ଜଳିବାରେ ଲାଗିଛି। ନାସାର ସାଟେଲାଇଟରେ ସାଙ୍ଘାତିକ ଚିତ୍ର ଦେଖିବାକୁ ମିଳିଛି। ଜଙ୍ଗଲ ନିଆଁରେ ପୁରା ଓଡିଶା ଲାଲ ହୋଇ ଉଠିଛି। ରାଜ୍ୟରେ ଏକର ଏକର ଜଙ୍ଗଲ ଏବେ ଜଳୁଛି। ଏଭଳି ସମୟରେ ସୁନ୍ଦରଗଡାରୁ ଏକ ଖବର ଆସିଛି ଯେ, ନିଆଁ ଲିଭାଇବାକୁ ଯାଇଥିବା ବନ ବିଭାଗ ଗାଡି ଜଳିଯାଇଛି।

ସୂଚନା ଅନୁସାରେ ଭବାନୀପୁର ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇଁ ଅଧିକାରୀମାନେ ସେଠାରେ ପହଂଚିଥିଲେ। ନିଆଁ ଲିଭାଇବାକୁ ଅଧିକାରୀମାନେ ଭିତରକୁ ଯାଇଥିବା ସମୟରେ ଗାଡ଼ିରେ ଜଙ୍ଗଲ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗି ଜିପଟି ପୋଡ଼ି ପାଉଁଶ ହୋଇଯାଇଛି।

ରାଜ୍ୟରେ ବର୍ତ୍ତମାନ ଅନେକ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଅନେକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେଉଥିବା ବେଳେ ଜୀବଜନ୍ତୁଙ୍କୁ ବି ଗ୍ରାସ କରୁଛି ନିଆଁ । ଅନ୍ୟପଟେ ନିଆଁ ଯୋଗୁ ଜୀବଜନ୍ତୁ ଏବେ ଜନବସତି ମୁହାଁ। ତେବେ ରାଜ୍ୟରେ ଦେଖାଦେଇଥିବା ଜଙ୍ଗଲ ନିଆଁକୁ ନେଇ ଆଜି ବିଧାନସଭାରେ ଉଦ୍‍ବେଗ ପ୍ରକାଶ ପାଇଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ଦେବାକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେପି ବିଧାୟିକା କୁସୁମ ଟେଟେ ଗୃହରେ ଦାବି କରିଛନ୍ତି ।

ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଉପଗ୍ରହ ଚିତ୍ରରେ ଜଙ୍ଗଲ ନିଆଁ ସମ୍ପର୍କରେ ଯେଉଁ ତଥ୍ୟ ଆସୁଛି, ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗିନି ବରଂ ଅନେକ ସ୍ଥାନରେ ଚାଷୀମାନେ ରବି ଚାଷ କରିବା ପାଇଁ କଟାଯାଇଥିବା ଖରିଫ ଧାନ ବିଲରେ ନିଆଁ ଲଗାଇ ଦେଇଛନ୍ତି । ଯେଉଁଥିପାଇଁ ଉପଗ୍ରହ ଚିତ୍ରରେ ରାଜ୍ୟରେ ବନାଗ୍ନି ସଂଖ୍ୟା ଅଧିକ ରହିଥିବା ଦୃଶ୍ୟମାନ ହେଉଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତା’ର ୯୮ ପ୍ରତିଶତକୁ ଅନୁଧ୍ୟାନ କରାଯାଉଛି ।

ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି । ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ୍ତ କରାଯାଉଛି । ଗତକାଲି ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଜରୁରୀ ବୈଠକ ଡକାଇ ବନାଗ୍ନି ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବାର ବ୍ୟବସ୍ଥା କରିଛନ୍ତି । ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜଙ୍ଗଲରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ମନ୍ତ୍ରୀ କହିଛନ୍ତି ।

 

Get real time updates directly on you device, subscribe now.