fbpx

ISROର ପୂର୍ବତନ ବୈଜ୍ଞାନିକ ନମ୍ବୀ ନାରାୟଣନଙ୍କ ବିରୋଧରେ କେଉଁମାନେ ଷଡ଼ଯନ୍ତ୍ର ରଚିଥିଲେ: ମାଲଦୀପ ଲିଙ୍କର ପର୍ଦ୍ଦାଫାସ କଲା CBI ଚାର୍ଜଶିଟ୍

ନୂଆଦିଲ୍ଲୀ: ଇସ୍ରୋର ପୂର୍ବତନ ବୈଜ୍ଞାନିକ ନମ୍ବୀ ନାରାୟଣନଙ୍କ ବିରୋଧରେ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଗୁପ୍ତଚର ମାମଲାରେ ଶ୍ରୀ ନାରାୟଣନ ଓ ମାଲଦୀପର ଦୁଇଜଣ ମହିଳାଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଫସାଇବାକୁ ଚକ୍ରାନ୍ତ ହୋଇଥିଲା । ଏହି ଅଭିଯୋଗରେ ପାଞ୍ଚ ଜଣ ତତ୍କାଳୀନ ପୋଲିସ ଅଧିକାରୀଙ୍କ ବିରୋଧରେ ସିବିଆଇ ପକ୍ଷରୁ ଦାୟର ହୋଇଥିବା ଚାର୍ଜଶିଟରେ ଏହି ଅଭିଯୋଗ ହୋଇଛି । ନାରାୟଣନ୍ ନିର୍ଦ୍ଦୋଷ ଥିଲେ ବି ତାଙ୍କୁ ଷଡ଼ଯନ୍ତ୍ର କରି ଏକ ବଡ଼ ବିବାଦରେ ଫସାଇ ଦିଆଯାଇଥିଲା ।

କେରଳର ଥିରୁବନ୍ତପୁରମରେ ସିବିଆଇ ପକ୍ଷରୁ କୋର୍ଟରେ କୁହାଯାଇଛି ଯେ, ୧୯୯୪ର ଇସ୍ରୋ ଗୁପ୍ତଚର ମାମଲାରେ କେରଳ ପୋଲିସର ଜଣେ ତତ୍କାଳୀନ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ଭାରତରେ ଥିବା ଜଣେ ମାଲଦୀପ ମହିଳାଙ୍କୁ ଅବୈଧ ଭାବେ ହେପାଜତ ରଖିବାକୁ ଉଚିତ ମଣିଥିଲେ । କାରଣ ମହିଳା ଜଣଙ୍କ ପୋଲିସ ଅଧିକାରୀଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଏହି ମାମଲାରେ ପୂର୍ବ ଇସ୍ରୋ ବୈଜ୍ଞାନିକ ନାରାୟଣନଙ୍କୁ ମିଥ୍ୟା କେସରେ ଫସାଇ ଦିଆଯାଇଥିଲା । ଗତ ମାସ ଶେଷ ସପ୍ତାହରେ ପୋଲିସ ଏହି ଚାର୍ଜଶିଟ ଦାଖଲ କରିଥିବା ବେଳେ ଆଜି ତାହାକୁ ସାର୍ବଜନିନ କରାଯାଇଛି । ତତ୍କାଳୀନ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ଏସ. ବିଜୟନ ମାଲଦୀପର ନାଗରିକ ମରିୟମ ରଶୀଦାଙ୍କଠାରୁ ଟ୍ରାଭେଲ ଡକ୍ୟୁମେଣ୍ଟ ଓ ଏୟାର ଟିକେଟ ନେଇ ଯାଇଥିଲେ । ଫଳରେ ମହିଳା ଜଣଙ୍କ ଭାରତ ଛାଡ଼ି ନିଜ ଦେଶକୁ ଯାଇ ପାରିନଥିଲେ ବୋଲି ସିବିଆଇର ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ।

ସିବିଆଇ ଚାର୍ଜଶିଟରେ କୁହାଯାଇଛି, ବିଦେଶୀ ଅଧିନିୟମ ଆଧାରରେ ରଶୀଦାଙ୍କ ହେପାଜତ ଅବଧି ସମାପ୍ତ ହେବାର ଥିଲା, ମାତ୍ର ତାଙ୍କ ବିରୋଧରେ ଏକ ମିଥ୍ୟା ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ସେହି ଆଧାରରେ ତାଙ୍କୁ ଏକ ମାମଲାରେ ଫସାଇ ଦିଆଯାଇଥିଲା । ମହିଳାଙ୍କର ହେପାଜତ ଗୁପ୍ତଚର ପ୍ରସଙ୍ଗର ଯାଞ୍ଚ ପାଇଁ ଏସଆଇଟିକୁ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଏସଆଇଟି ନାରାୟଣନ ଓ ଇସ୍ରୋର ୪ ଜଣ ବୈଜ୍ଞାନିକଙ୍କୁ ଗିରଫ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଜାସୁସୀ ମାମଲାରେ ଆଇନର ଦୁରୂପଯୋଗ କରାଯାଇଥିଲା ।

ଏହି ପୂରା ମାମଲାକୁ ନେଇ ନାରାୟଣନ ବୁଧବାର ଦିନ କହିଛନ୍ତି, ଚାର୍ଜଶିଟରେ ସାମିଲ ଥିବା ପୂର୍ବ ପୋଲିସ ଓ ଆଇବି ଅଧିକାରୀଙ୍କୁ ଦଣ୍ଡିତ କରାଗଲା କି ନାହିଁ ସେନେଇ ଜଣେ ବ୍ୟକ୍ତି ଭାବେ ତାଙ୍କର ଅବଶୋଷ ନାହିଁ । କାରଣ ମାମଲାରେ ସେମାନଙ୍କର ଭୂମିକା ସମାପ୍ତ ହୋଇ ସାରିଛି । ନାରାୟଣନ୍ ସାମ୍ବାଦିକଙ୍କୁ କହିଛନ୍ତି, ସେମାନେ ଜେଲ ଯିବା ନେଇ ମୋର କୌଣସି ଇଚ୍ଛା ନାହିଁ । ସେମାନଙ୍କ ଠାରୁ କ୍ଷମାର ମଧ୍ୟ ଆଶା କରୁନାହିଁ । ସେମାନେ ଯଦି ଭୁଲ କରିଛନ୍ତି ବୋଲି କେବଳ ଥରେ ମାନିନେଇଥାନ୍ତେ ତେବେ ମୋତେ ଖୁସି ହୋଇଥାନ୍ତା ।

ସୂଚନାଯୋଗ୍ୟ ଯେ, ନାରାୟଣନଙ୍କୁ ଫସାଇବା ଷଡ଼ଯନ୍ତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ରେ ମାମଲା ଦାୟର ହୋଇଥିଲା । ଇସ୍ରୋ ବୈଜ୍ଞାନିକ ନାରାୟଣନଙ୍କ ମାମଲାରେ ଦୋଷୀ ଥିବା ପୋଲିସ ଅଧିକାରୀଙ୍କ ଭୂମିକାକୁ ନେଇ ଏକ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ସିବିଆଇକୁ ଦେବାକୁ ସେହିବର୍ଷ ଏପ୍ରିଲ ୧୫ରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେରଳ ପୋଲିସ ୧୯୯୪ ମସିହା ଅକ୍ଟୋବରରେ ଦୁଇଟି ମାମଲା ଦାୟର କରିଥିଲା । ମାଲଦୀପ ନାଗରିକ ମରିୟମ ରଶୀଦାଙ୍କୁ ପାକିସ୍ତାନକୁ ବିକ୍ରି ପାଇଁ ଇସ୍ରୋ ରକେଟ ଇଞ୍ଜିନର ଗୁପ୍ତ ଚିତ୍ର ପ୍ରାପ୍ତ କରିବାର ଅଭିଯୋଗରେ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.