କାର ଭିତରେ ବନ୍ଦ ହୋଇ, ଶ୍ୱାସରୁଦ୍ଧ କାରଣରୁ ୪ ପିଲାଙ୍କ ମୃତ୍ୟୁ

କାର ନେଲା ୪ ଛୋଟ ପିଲାଙ୍କ ଜୀବନ।

ଆନ୍ଧ୍ରପ୍ରଦେଶ: ଅକାରଣେ ଚାଲିଗଲା ନିରୀହ ଛୁଆଙ୍କ ଜୀବନ। କାର ଭିତରେ ବସି ଖେଳୁଥିଲେ। ହେଲେ କାରର ଡୋର ଲକ ହୋଇଯିବ ବୋଲି ସେମାନେ କ’ଣ ଜାଣିଥିଲେ। ଆଉ ସେହି କାର ଭିତରେ ନିଶ୍ୱାସ ନ ନେଇ ପାରି ୪ ଜଣ ୟାକର ଜୀବନ ଚାଲିଯିବ ବୋଲି କେହି ବି ଭାବି ନ ଥିଲେ।

ହେଲେ ଏବେ ସେହି ଭାବନା ସତ ହୋଇଛି। କାରରେ ଖେଳୁଥିବା ସମୟରେ କାର ଭିତରେ ବନ୍ଦ ହୋଇଯାଇ ୪ ଛୁଆଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଝିଅ ଓ ଜଣେ ପୁଅ ମଧ୍ୟ ରହିଛନ୍ତି।

ତେବେ ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ବିଜୟନଗରମ ଦ୍ୱାରପୁଡ଼ି ଗାଁ ନିକଟରେ ଥିବା ପାର୍କିଂର ଘଟଣା। ରବିବାର ଦିନ ପିଲାମାନେ ଖେଳିବାକୁ ବାହାରକୁ ଯାଇଥିଲେ। ଆଉ ପାର୍କିଂରେ ଥିବା କାରରେ ବସିଥିଲେ।

ହେଲେ କାରର ଡୋରଟି ଲକୁ ହୋଇଯାଇଥିଲା। ତେଣୁ ପିଲାମାନେ ଆଉ ବାହରକୁ ବାହାରିପାରିନଥିଲେ। ପିଲାମାନଙ୍କର ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ପିଲାମାନଙ୍କୁ ଖୋଜି ଖୋଜି କାର ପାଖରେ ପହଞ୍ଚିଥିଲେ।

ହେଲେ ସେତେବେଳକୁ ସବୁ କିଛି ସରିଯାଇଥିଲା। ସଙ୍ଗେ ସଙ୍ଗେ ସେମାନଙ୍କୁ କାର ଭିତରୁ ବାହାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଦୟ (8), ଚାରୁମତି (8), ଚାରିଶ୍ମା (6) ଏବଂ ମନସ୍ୱୀ ନାମକ ୪ ପିଲାଙ୍କୁ ମୃତ ଘୋଷଣା କରିଥିଲେ।