ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଦୁଇ ଭିଟୋଧାରୀ ସ୍ଥାୟୀ ସଦସ୍ୟ ଦେଶ ଫ୍ରାନ୍ସ ଏବଂ ବ୍ରିଟେନ୍ ପୁଣି ଥରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ମିଳିତ ଜାତିସଂଘରେ ଫ୍ରାନ୍ସର ରାଷ୍ଟ୍ରଦୂତ ନିକୋଲାସ ଡି ରିଭିଏରେ ନିଜ ବୟାନରେ କହିଛନ୍ତି ଯେ, ଫ୍ରାନ୍ସ ସ୍ଥାୟୀ ସଦସ୍ୟ ଭାବେ ଜର୍ମାନୀ, ବ୍ରାଜିଲ, ଭାରତ ଏବଂ ଜାପାନର ପ୍ରାର୍ଥୀତ୍ଵକୁ ସମର୍ଥନ କରୁଛି।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ କାର୍ଯ୍ୟକ୍ରମର ଖୋଲା ବିତର୍କରେ ଫ୍ରାନ୍ସ ଉପରୋକ୍ତ ଟିପ୍ପଣୀ କରିଛି। ରିଭିଏରେ କହିଛନ୍ତି, ସୁରକ୍ଷା ପରିଷଦର ସୁରକ୍ଷାକୁ ଫ୍ରାନ୍ସ ସମର୍ଥନ କରୁଛି। ନୂତନ ଶକ୍ତିର ଆବିର୍ଭାବକୁ ଦୃଷ୍ଟିରେ ରଖି ସୁରକ୍ଷା ପରିଷଦର ବିସ୍ତାର ହେବା ଉଚିତ୍। ସେହି ଦେଶକୁ ସ୍ଥାୟୀ ସଦସ୍ୟ କରାଯାଉ ଯିଏ ଜଣେ ସ୍ଥାୟୀ ଉପସ୍ଥିତିର ଦାୟିତ୍ଵ ନେବାକୁ ଇଚ୍ଛୁକ ଏବଂ ସକ୍ଷମ ଅଟେ।
ସେହିପରି ବ୍ରିଟେନର ରାଷ୍ଟ୍ରଦୂତ ବାରବରା ଉଡଓ୍ଵର୍ଡ କହିଛନ୍ତି ବ୍ରିଟେନ ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ରୂପେ ଆମେ ବ୍ରାଜିଲ, ଜର୍ମାନୀ, ଭାରତ ଏବଂ ଜାପାନକୁ ସମର୍ଥନ କରୁଛୁ। ଏହା ସହିତ ସ୍ଥାୟୀ ଆଫ୍ରିକି ପ୍ରତିନିଧିତ୍ଵର ବି ସମର୍ଥନ କରୁଛୁ। ଉଡଓ୍ଵର୍ଡ ୧୯୪୫ରେ ସ୍ଥାପନ ହୋଇଥିବା ମିଳିତ ଜାତିସଂଘ ଏବଂ ବର୍ତ୍ତମାନର ସମୟ ମଧ୍ୟରେ ବହୁତ ପ୍ରଭେଦ ରହିଛି। ତେଣୁ ସଂପ୍ରତି ଆମକୁ ବିଚାର କରିବାର ଆବଶ୍ୟକତା ରହିଛି ଯେ, ମିଳିତ ଜାତିସଂଘ ଏବଂ ବହୁପକ୍ଷୀୟ ପ୍ରଣାଳୀ କେମିତି ବିକଶିତ ହେବା ଉଚିତ୍। ତେଣୁ ସୁରକ୍ଷା ପରିଷଦର ମଧ୍ୟ ସଂପ୍ରସାରଣ ହେବା ଉଚିତ୍। ସକ୍ଷମ ଦେଶକୁ ଏଥିରେ ସ୍ଥାୟୀ ପ୍ରତିନିଧି କରିବା ଉଚିତ୍।
ସୂଚନାଯୋଗ୍ୟ, ଜୟଶଙ୍କର ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଧ୍ୟକ୍ଷତା ଆଧାରରେ ଆତଙ୍କବାଦ ଏବଂ ସୁଧାର ବହୁପକ୍ଷ କାର୍ଯ୍ୟକ୍ରମର ଅଧ୍ୟକ୍ଷତା ପାଇଁ ଏଠାରେ ପହଞ୍ଚିଛନ୍ତି। ବର୍ତ୍ତମାନ ଭାରତ ସୁରକ୍ଷା ପରିଷଦରେ ଦୁଇ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ରହିଛି। ଯାହାର କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାକୁ ଯାଉଛି।