fbpx

ମାଗଣା ସିଭିଲ୍ ସର୍ଭିସ୍ କୋଚିଂ: ଆସନ୍ତା ୨୬ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ସ୍ୱରୂପ ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୨୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ । ଏଥିପାଇଁ ଗତବର୍ଷ ଡିସେମ୍ବର ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯିବା ସହ ଗତ ଫେବୃଆରୀ ମାସରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହି ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆସନ୍ତା ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ । ରାଜ୍ୟର ୫ଟି ସହରରେ ଆଶାୟୀମାନେ ପ୍ରବେଶିକା ପରୀକ୍ଷା ଦେଇ ପାରିବେ । ଏଥିପାଇଁ ଫେବୃଆରୀ ମାସ ୧୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଗତ ୪ ତାରିଖ ପର୍ୟ୍ୟନ୍ତ ଜାରି ରହିଥିଲା । ୨ ଘଣ୍ଟା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଯେଉଁମାନେ କୃତକାର୍ୟ୍ୟ ହେବେ ସେମାନଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ ।

ଏହି ପ୍ରବେଶିକା ପରୀକ୍ଷା ପାଇଁ ୮ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ଉଭୟ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ପାଇଁ ଆଶାୟୀଙ୍କୁ ଏସକ୍ୟୁ ଆଇଏଏସ ଏକାଡେମୀ ପ୍ରଶିକ୍ଷଣ ପ୍ରଦାନ କରିବ । ଅଫଲାଇନରେ ମୋଡ଼ରେ ହେବାକୁ ଥିବା ଏହି ପରୀକ୍ଷାରେ ୨୦୦ ମାର୍କର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଆସିବ । ମଲ୍ଟିପୁଲ ଚଏସ ସହିତ ମାଇନସ୍ ମାର୍କିଂ ବ୍ୟବସ୍ଥା ରହିଛି । ଏହି ପ୍ରବେଶିକା ପରୀକ୍ଷାରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଢାଞ୍ଚାର ପ୍ରଶ୍ନପତ୍ର ଆସିବ ।

ରାଜ୍ୟର ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ଆଦି ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାକୁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପରିଚାଳନା କରିବ । ଯେଉଁମାନେ ଏହି ପରୀକ୍ଷାରେ କୃତକାର୍ୟ୍ୟ ହେବେ ସେମାନଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରେ ମାଗଣାରେ ସିଭିଲ୍ ସର୍ଭିସ୍ କୋଚିଂ ପ୍ରଦାନ କରିବେ ।

Get real time updates directly on you device, subscribe now.