fbpx

ଆସନ୍ତା ୩୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ୟୁନିଫର୍ମ: ପ୍ରଥମରୁ ଅଷ୍ଟମ ପିଲାଙ୍କୁ ପୋଷାକ ପ୍ରଦାନ ନେଇ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ୟୁନିଫର୍ମ ପ୍ରଦାନ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ପିଲାଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯିବ । ପ୍ରତି ପିଲାଙ୍କୁ ୨ ହଳ ପୋଷାକ, ହଳେ ଜୋତା, ୨ ହଳ ମୋଜା ପ୍ରଦାନ କରାଯିବ ।

ଏଥିସହିତ ପିଲାଙ୍କୁ ଗୋଟିଏ ଟି-ଶାର୍ଟ, ଗୋଟିଏ ଟୋପି, ଗୋଟିଏ ଟ୍ରାକ୍ ପ୍ୟାଣ୍ଟ ମିଳିବ । ଚଳିତ ମାସ ଶେଷ ସୁଦ୍ଧା ଏହି ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଓଇ)ଙ୍କୁ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରୋଗ୍ରାମ ଅଥରିଟି (ଓସେପା) ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ଲେଖାଯାଇଛି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିବା ବେଳେ ଏବେ ଏଥିରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା’ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟର ସମୀକ୍ଷା କରଯିବା ପରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ ଏ ବାବଦରେ ଗତ ମାସ ୩୧ ତାରିଖରେ ସୂଚନା ଦେଇଥିଲେ ।

ଏଥିସହିତ ଚଳିତ ବର୍ଷଠାରୁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଛାତ୍ରଛାତ୍ରୀଙ୍କ ସାଇକେଲ ଆବଣ୍ଟନ ଅର୍ଥରାଶି ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ସାଇକେଲ ବାବଦକୁ ଛାତ୍ରଛାତ୍ରୀଙ୍କୁ ୨୬୦୦ ଟଙ୍କା ମିଳୁଥିବା ବେଳେ ଏବେ ୩୫୦୦ ଟଙ୍କା ଦିଆଯିବ । ୨୦୨୩ ସୁଦ୍ଧା ସମସ୍ତ ସ୍କୁଲରେ ଆଇଟି ଲ୍ୟାବ ପ୍ରତିଷ୍ଠା କରାଯିବ । ଦ୍ୱିତୀୟରୁ ଦଶମ ଶ୍ରେଣୀ ପିଲାଙ୍କୁ ନୋଟ୍ ବୁକ୍ ପ୍ରଦାନ କରାଯିବ । ରାଜ୍ୟରେ ୧୦୬ଟି ନୂଆ ହାଇସ୍କୁଲ ଖୋଲାଯିବା ସହିତ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଖୁବଶୀଘ୍ର ପ୍ରାଥମିକ ସ୍କୁଲ ପିଲାଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ ।

Get real time updates directly on you device, subscribe now.