fbpx

ବୁଲେଟ୍‌ରେ ଓଡ଼ିଶା ପୋଲିସ ଲେଖିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ଏମ୍‌ଭିଆ ଆକ୍ଟରେ ବାନ୍ଧିିଲା ପୋଲିସ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ଗାଡ଼ିର ନମ୍ବର ପ୍ଲେଟରେ ନୁମ୍ବରକୁ ବିକୃତି ବା ଡିଜାଇନ କରି ଲେଖୁଥିବା ଅନେକ ସମୟରେ ଦେଖିବାକୁ ମିଳେ । ଯାହାକି ସରକାରୀ ନିୟମ ସମ୍ପୂର୍ଣ୍ଣ ଖିଲାପ । ଏହାକୁ ନେଇ ସରକାର ଯେତେ ନିୟମ କଡାକଡି କଲେ ବି ପ୍ରଭାବ ଶୂନ ଭଳି ମନେ ହୁଏ । କେବଳ ପୋଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ଆଜିକାଲି ଏପରି ଏକ ନୂଆ ତରିକା ଆପଣେଇଛନ୍ତି ଯୁବପିଢ଼ି । ଗାଡ଼ିରେ ପୋଲିସ, ପ୍ରେସ୍‌, ଓକିଲ ଲେଖାଥିବା ଲୋଗୋ ଲଗାଇ ଅତି ସହଜରେ ଖସି ଯିବାକୁ ଏକ ମାଧ୍ୟମ ରୂପେ ବାଛି ନେଲେଣି ।

ଏଠାରେ ସୂଚନା ଥାଉକି, ମୁଖ୍ୟତଃ ସହରରେ ଗାଡ଼ିରେ ପ୍ରେସ ଲେଖା ଥିବା ଗାଡି ଘୁରି ବୁଲୁଛି, ସାମ୍ବାଦିକର କୌଣସି ପରିଚୟ ନଥାଇ ଗାଡ଼ିରେ ପ୍ରେସ ଲେଖିବା ଏକ ସୌକ ବା ପୋଲିସ ଆଖିରେ ଧୂଳି ଦେବା ଏହା ଏକ ସହଜର ବାଟ କହିଲେ କିଛି ଭୁଲ ହେବନାହିଁ। କିଛି ଅମାନିଆ ପୋଲିସ ଆଖିରେ ଧୂଳି ଦେଇନାନା ଅପରାଧ କରୁଥିବା ନଜିର ରହିଛି । ବଡ ବଜାର ପୋଲିସ ଏହିଭଳି କ୍ଷେତ୍ରରେ  ଜଣେ ଯୁବକକୁ ଗିରଫ କରିବା ସହ ତାଙ୍କ ଗାଡିକୁ ମଧ୍ୟ ଜବତ କରିଛି । ଗିରଫ ଯୁବକ ହେଲେ ବଡବଜାର ଥାନା ଅଧୀନରେ ଥିବା କୋଠରୀ ମନ୍ଦିର ସାହିର ସୂର୍ଯ୍ୟ ନାରାୟଣ ସାହୁ (୩୦) ।

ସୂଚନା ପ୍ରକାରେ ବ୍ରହ୍ମପୁର ଏସ୍‌ପିଙ୍କ ନିଦ୍ଦେରଶକ୍ରମେ ସମସ୍ତ ଥାନା ପକ୍ଷରୁ କଡ଼ାକଡ଼ି ଭାବେ ଯାନବାହାନ ଯାଞ୍ଚ କରାଯାଉଥିଲା । ସେଥିରେ ବଡ଼ବଜାର ଥାନା ପକ୍ଷରୁ ମଧ୍ୟ ରାସ୍ତାରେ ଗାଡିକୁ ଅଟକାଇ ହେଲମେଣ୍ଟ, ଗାଡିର ଆର୍‌ସି ଏବଂ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ଚାଲିଥିବା ସମୟରେ ଗୋଟିଏ ରୟାଲ ଇନଫିଲଡ ଗାଡି (ଓଡି-୦୭- ୟୁ-୭୬୬୬) ନମ୍ବର ଗାଡିର ପଛ ପଟପଟେ ବେଆଇନ ଏବଂ ବେନିୟମ ଭାବେ ଓଡିଶା ପୋଲିସ ଲେଖା ହୋଇଥିବା ଦେଖି ବଡବଜାର ପୋଲିସ ଉକ୍ତ ଗାଡିକୁ ଜବତ କରି ଗାଡି ଚାଳକ ସୂର୍ଯ୍ୟକୁ ଏମ୍‌ଭି ଆକ୍ଟ ୧୯୬/୧୭୭ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବଡ଼ବାଜାର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବ୍ରହ୍ମପୁର ସହରରେ ପୋଲିସର କଡାକଡ଼ି ଭାବେ ଚାଲିଥିବା ଗାଡି ଯାଞ୍ଚରୁ ରକ୍ଷା ପାଇବା ପାଇଁ କିଛି ଅସାମାଜିକ ଯୁବକ ନିଜ ଗାଡି ଆଗରେ କିମ୍ବା ପଛରେ ପୋଲିସ ଆଉ ପ୍ରେସ୍‌ ଲେଖି ପୋଲିସର ଆଖିରେ ଧୂଳି ଦେଇ ବ୍ରହ୍ମପୁର ସହରରେ ବୁଲୁଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେଲେ ଆଗାମୀ ଦିନରେ ଅନେକ ଗାଡି ଓ ଅସାଧୁ ଯୁବକ ଗିରଫ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବ୍ରହ୍ମପୁର ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.