fbpx

ବିହାରରେ ଖେଳ ହେବା ବାକି ଅଛି: କାହିଁକି ଏମିତି କହିଲେ, ଆରଜେଡି ନେତା ତେଜସ୍ୱୀ ଯାଦବ

ପଟନା: ବିହାର ରାଜନୀତିକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି। କୁହାଯାଉଛି ଯେ, ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ମେଣ୍ଟ ଛାଡି ପୁଣି ଥରେ ଏନଡିଏରେ ସାମିଲ ହେବେ। ଏଭଳି ପରିସ୍ଥିତିରେ ଆରଜେଡି ବି ନିଜର କ୍ଷମତା ପାଇଁ କିଛି ଯୋଜନାରେ ରହିଛି। ଯାହାକୁ ନେଇ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବାସଭବନରେ ଆରଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହା ପରେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ବିହାରରେ ଆଗକୁ ଖେଳ ହେବା ବାକି ଅଛି। ତେବେ ସେ ଏମିତି କହିବା ପଛର କାରଣ ଜଣା ପଡିନଥିବା ବେଳେ ଆରଜେଡି ଏହାକୁ ନେଇ କିଛି ଗୋଟେ ଖାସ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି ।

ତେବେ ଆଜିର ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡି ଦେବୀଙ୍କ ସମେତ ରାଜ୍ୟ ବିଧାନସଭାର ସଦସ୍ୟମାନେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତେଜସ୍ୱୀ ଯାଦବ ବୈଠକରେ ଉପସ୍ଥିତ ଦଳୀୟ ନେତାମାନଙ୍କୁ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ସମ୍ମାନାସ୍ପଦ ନେତା । କିନ୍ତୁ ଏମିତି ଅନେକ କଥା ଅଛି ଯାହା ତାଙ୍କ ‘ନିୟନ୍ତ୍ରଣ’ରେ ନାହିଁ। ତେବେ ବିହାରରେ ଏବେ ଖେଳ ହେବା ବାକି ଅଛି ବୋଲି ସେ ଦାବି କରିଛନ୍ତି । ଏହା ସହ ତେଜସ୍ୱୀ ଯାଦବ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ମାନଜନକ ଥିଲେ ଓ ଅଛନ୍ତି। ମହାମେଣ୍ଟରେ ଆରଜେଡିର ସହଯୋଗୀ ଦଳମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଉଛନ୍ତି।

ଏଠାରେ କହି ରଖୁଛୁ ଯେ, ବିଜେପି ସହ ମିଶି ଜେଡିୟୁ ନୂଆ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆରଜେଡି ମଧ୍ୟ କଂଗ୍ରେସ ସହ ମିଶି ସରକାର ଗଢିବା ଯୋଜନାରେ ରହିଛି । ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଣ୍ଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ଅନ୍ୟପଟେ ଏନଡିଏରେ ଫାଟ ସୃଷ୍ଟି କରିବାକୁ ହମ୍ ପାର୍ଟି ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ କଂଗ୍ରେସ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ ବିହାରର ଏହି ଚର୍ଚ୍ଚା ଆଲୋଚନା ଭିତରେ ଜାତୀୟ ରାଜନୀତି ବେଶ ସରଗରମ ରହିଛି । ତେବେ କେନ୍ଦ୍ରରେ ବିଜେପି ଓ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ବେଳେ ଆଞ୍ଚଳିକ ଦଳଗୁଡିକ ମଧ୍ୟ ବେଶ ଗୁରୁତ୍ୱ ବହନ କରୁଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟର ମୁଖ୍ୟ ପୁରୋଧା ସାଜିଥିବା ନୀତିଶ କୁମାର ଏବେ ବିଜେପି ମୁହାଁ ହୋଇସାରିଛନ୍ତି।

Get real time updates directly on you device, subscribe now.