ଭୁବନେଶ୍ୱର: ବିଶ୍ୱ ଏଡସ୍ ମହାମାରୀ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୧ ରେ ବିଶ୍ୱ AIDS ଦିବସ ପାଳନ କରାଯାଏ । ସୂଚନାଯୋଗ୍ୟ ଯେ, ୨୦୩୦ ସୁଦ୍ଧା ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଭାବରେ ଏଡସକୁ ଦୂର କରିବା ଲକ୍ଷ୍ୟରେ ମିଳିତ ଜାତିସଂଘ କାର୍ଯ୍ୟ କରୁଛି।
ଏହି ଏଡସ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଜାରି କରିଛନ୍ତି । ତାଙ୍କ ସୂଚନା ଅନୁସାରେ, ରାଜ୍ୟରେ ଏଡସ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି । ୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସକ୍ରିୟ ୫୦ ହଜାର ଏଡସ ମାମଲା ରହିଛି । ତେବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୦ ହଜାର ଏଡସ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେହିପରି ସୋନପୁର ଜିଲ୍ଲାରେ ସର୍ବନିମ୍ନ ୧୫୦ ରୋଗୀ ଅଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟରେ ଆଉ ବିଶେଷ ରୋଗୀ ଚିହ୍ନଟ ହେଉନାହାନ୍ତି । ୨୦୩୦ ସୁଦ୍ଧା ଆଉ କେହି ଆକ୍ରାନ୍ତ ନ ହୁଅନ୍ତି, ସେନେଇ ବ୍ୟବସ୍ଥା କରିବ ବିଭାଗ ।
ଏଡସ ରୋଗର ସାଧାରଣ ଲକ୍ଷଣ ମଧ୍ୟରେ ନିମୋନିଆ ହେବା, ଓଜନ ହ୍ରାସ ହେବା, କାଶ ଲାଗି ରହିବା, ସର୍ବଦା କ୍ଲାନ୍ତ ଅନୁଭବ କରିବା, ଝାଡା ଲାଗି ରହିବା, ଝାଳ ବାହାରିବା, ସ୍ନାୟୁଗତ ସମସ୍ୟା ଦେଖାଯିବା, ଜିଭର ରଙ୍ଗରେ ପରିବର୍ତ୍ତନ ହେବା ଏବଂ ଚର୍ମରେ ସମସ୍ୟା ଦେଖାଯିବା ଭଳି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଘ୍ତ ମତରେ ଏହାକୁ ଅଣଦେଖ କରିବା ଉଚିତ ନୁହେଁ । ଏଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି । ନିକଟ ଅତୀତରେ, ଅନେକ ପ୍ରଭାବଶାଳୀ ଔଷଧ ଏଚ୍.ଆଇ.ଭି ରୋକିବା ଏବଂ ଚିକିତ୍ସା ପାଇଁ ଆଲୋଚନା ହୋଇଆସୁଛି । ଲେନେକାପାବିର ନାମକ ଏକ ଔଷଧର ପ୍ରାରମ୍ଭିକ ପରୀକ୍ଷଣରୁ ଜଣାପଡିଛି ଯେ ଏଚ୍ଆଇଭି ସଂକ୍ରମଣକୁ ରୋକିବାରେ ଏହା ଶତପ୍ରତିଶତ ପ୍ରଭାବଶାଳୀ ଅଟେ । ବିଶେଷଜ୍ଞମାନେ ଏହାକୁ ରୋଗ ବିରୋଧରେ ଲଢିବା ପାଇଁ ପ୍ରଶଂସା କରୁଥିଲେ ହେଁ ଏହାର ଦାମ୍ ଚିନ୍ତାର କାରଣ ସାଜିଛି । ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗିଲିୟଡ୍ କେତେକ ଦେଶରେ ଏହି ଔଷଧ ପାଇଁ ୪୦,୦୦୦ ଡଲାର୍ ଆଦାୟ କରୁଛି।