fbpx

ବିଶ୍ୱରେ ଗ୍ରାସିଲା ଆର୍ଥିକ ମାନ୍ଦାବସ୍ଥା: କ୍ରମାଗତ ଦ୍ୱିତୀୟ ତ୍ରୈମାସିକ ଜିଡିପି ହ୍ରାସ ପରେ ଆନୁଷ୍ଠାନିକ ଭାବେ ଆର୍ଥିକ ମାନ୍ଦାବସ୍ଥାରେ ପ୍ରବେଶ କଲା ଜର୍ମାନୀ

ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ସମଗ୍ର ବିଶ୍ୱରେ ସାମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥା ବିଷୟରେ ଆଲୋଚନା ହେଉଥିବା ଏହା ଆରମ୍ଭ ହୋଇଛି । ପ୍ରଥମ ଦେଶ ଭାବେ ଏହାର ଶିକାର ହୋଇଛି ୟୁରୋପର ସବୁଠୁ ବଡ ଅର୍ଥନୀତି ଜର୍ମାନୀ । ଏହି ଖବର ପରେ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଭୟ ଦୃଢ଼ ହୋଇଛି । ଜର୍ମାନୀର ପରିସଂଖ୍ୟାନ କାର୍ଯ୍ୟାଳୟ ଗୁରୁବାର ଅର୍ଥନୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ପ୍ରକାଶ କରିଛି ।

ପରିସଂଖ୍ୟାନ ଅନୁଯାୟୀ, ମାର୍ଚ୍ଚ ୨୦୨୩ ତ୍ରୈମାସରେ ଜର୍ମାନୀର ଜିଡିପି ୦.୩ ପ୍ରତିଶତ ହ୍ରାସ ପାଇଛି । ଏହାପୂର୍ବରୁ ଗତ ବର୍ଷର ଶେଷ ତ୍ରୈମାସିକ ଅର୍ଥାତ୍ ଅକ୍ଟୋବରରୁ ଡିସେମ୍ବର ୨୦୨୨ ମଧ୍ୟରେ ଜର୍ମାନୀର ଜିଡିପି ୦.୫ ପ୍ରତିଶତ ହ୍ରାସ ପାଇଥିଲା ।

ଗତବର୍ଷ ଶେଷ ତ୍ରୈୟମାସିକ ତୁଳନାରେ ଯଦିଓ ଜାନୁଆରୀରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ଅର୍ଥନୀତିର ଅବନତି ହାର ସାମାନ୍ୟ ହ୍ରାସ ପାଇଥିଲା, କିନ୍ତୁ ଜର୍ମାନ ଅର୍ଥନୀତି ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଅର୍ଥିକ ମାନ୍ଦାବସ୍ଥାକୁ ଆସି ସାରିଛି ଏବଂ ଅର୍ଥନୀତିର ଲୋକପ୍ରିୟ ପରିଭାଷା ଅନୁଯାୟୀ ଯଦି ଲଗାତାର ଦୁଇ ତ୍ରୈମାସିକରେ ଏକ ଅର୍ଥନୀତି ହ୍ରାସ ହୁଏ, ତେବେ ସଂପୃକ୍ତ ଦେଶର ଅର୍ଥନୀତି ଆର୍ଥିକ ଅବନତିର ଶିକାର ହୋଇଛି ବୋଲି କୁହାଯାଏ ।

କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିବା ପରଠୁ ଗତ ଏକ ବର୍ଷ ହେବ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ପ୍ରକାଶ ପାଇଥିଲା । କରୋନା ବ୍ୟତିତ ଆମେରିକା ଓ ଚୀନ୍ ବ୍ୟାପାର ଯୁଦ୍ଧ, ଏବଂ ଋଷ ଓ ୟୁକ୍ରେନ୍ ପାଇଁ ବିଶ୍ୱରେ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିଲା । ଯେଉଁ କାରଣରୁ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ପ୍ରକାଶ ପାଇଥିଲା ।

ଏହାପୂର୍ବରୁ, ଜର୍ମାନୀର ଫେଡେରାଲ୍ ଏଜେନ୍ସି ଅତି ସାମାନ୍ୟ ଆର୍ଥିକ ସଙ୍କଟ ହେବାର ଆଶଙ୍କା ପ୍ରକାଶ କରିଥିଲା ଏବଂ ମାର୍ଚ୍ଚ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ଶୂନ ହେବ ବୋଲି ସେମାନେ ଆଶା କରିଥିଲେ । ଅବଶ୍ୟ, ପରେ ଘଟିଥିବା ପରିସ୍ଥିତିର ଆକଳନ କରିବା ପରେ ଜଣାପଡିଛି ଯେ ମାର୍ଚ୍ଚ ତ୍ରୈମାସିକରେ ଜିଡିପି ହ୍ରାସ ଘଟିଛି ।

ଋଷରୁ ଇନ୍ଧନ ଯୋଗାଣ ବନ୍ଦ ହେତୁ ୟୁରୋପର ଅନେକ ଦେଶରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ଖାଦ୍ୟ ଏବଂ ପାନୀୟର ଅଭାବ ରହିଛି । ଏହାର ଇନ୍ଧନ ଆବଶ୍ୟକତା ପାଇଁ ଜର୍ମାନୀ ପାରମ୍ପାରିକ ଭାବରେ ଋଷର ଯୋଗାଣ ଉପରେ ନିର୍ଭର କରେ । ବର୍ତ୍ତମାନ, ଏହି ଉତ୍ସ ବନ୍ଦ ହେତୁ ଜର୍ମାନୀରେ ବହୁତ ଉଚ୍ଚ ମୁଦ୍ରାସ୍ଫୀତି ଦେଖାଦେଇଛି । ଏହି କାରଣରୁ ଲୋକଙ୍କ ବ୍ୟବହାର ମଧ୍ୟ ପ୍ରଭାବିତ ହୋଇଛି । ମାର୍ଚ୍ଚ ତ୍ରୈମାସରେ ଜର୍ମାନୀରେ ବ୍ୟବହାର ୧.୨ ପ୍ରତିଶତ ହ୍ରାସ ପାଇଛି । ପରସ୍ପର ସହିତ ସଂଯୁକ୍ତ ଏହି ବୈଶିଷ୍ଟ୍ୟଗୁଡିକ ଏବେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଆଣି ଦେଇଛି ।

Get real time updates directly on you device, subscribe now.