ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଜାରି ଦଳୀୟ କଳହ ମଧ୍ୟରେ ଜି-୨୩ର ଅସନ୍ତୁଷ୍ଟ ନେତା ଗୁଲାମ ନବି ଆଜାଦ ଶୁକ୍ରବାର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି। କୁହାଯାଉଛି, ଏହି ବୈଠକରେ ଆଜାଦ ଜି-୨୩ ଗ୍ରୁପର ବିଚାରକୁ ସୋନିଆ ଗାନ୍ଧୀଙ୍କ ସାମ୍ନାରେ ବିସ୍ତୃତ ଭାବେ ରଖିଛନ୍ତି। ସୋନିଆଙ୍କୁ ଭେଟିବା ପୂର୍ବରୁ ଆଜାଦ କଂଗ୍ରେସର ବରିଷ୍ଠ ନେତା କର୍ଣ୍ଣ ସିଂହଙ୍କ ବାସଭବନ ଯାଇ ତାଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି।
ସାକ୍ଷାତ ପରେ କଂଗ୍ରେସ ନେତା ଆଜାଦ କହିଛନ୍ତି, କାର୍ଯ୍ୟକାରିଣୀ କମିଟି ପାଞ୍ଚ ରାଜ୍ୟର ପରାଜୟର କାରଣ ଉପରେ ପ୍ରସ୍ତାବ ମାଗିଛି। ଅନେକ ନେତାଙ୍କ ମଧ୍ୟରେ ନିଜ କଥା ରଖିବା ସହଜ ନୁହେଁ, ଏଥିପାଇଁ ସୋନିଆଙ୍କୁ ଭେଟି ବିସ୍ତୃତ ଏହି ବିଷୟରେ ଆଲୋଚନା ହୋଇଛି। ଆଗାମୀ ବିଧାନସଭା ନିର୍ବାଚନରେ ବିରୋଧୀ ଦଳକୁ ହରାଇବା ପାଇଁ ଏକଜୁଟ ହୋଇ ଲଢିବା ଉପରେ ଆଲୋଚନା ହୋଇଛି।
ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷଙ୍କ ସହିତ ସକରାତ୍ମକ ଆଲୋଚନା ହୋଇଛି। ବୈଠକରେ ଆଗାମୀ ନିର୍ବାଚନକୁ ନେଇ କେମିତି ପ୍ରସ୍ତୁତି କରାଯିବ ଏବଂ ପାର୍ଟିକୁ କେମିତି ମଜବୁତ କରାଯିବ ଏବଂ ବିରୋଧୀ ଦଳର କେମିତି ମୁକାବିଲା କରାଯିବ ତା ଉପରେ ଆଲୋଚନା ହୋଇଛି। ଏହା ପୂର୍ବରୁ ସୋନିଆ ଗାନ୍ଧୀ ଗୁରୁବାର ଆଜାଦଙ୍କ ସହ ଫୋନରେ ଦୁଇ ଥର କଥା ହୋଇଥିଲେ।
ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ବିଦ୍ରୋହୀ ଗୋଷ୍ଠୀ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଜି-୨୩। ଗୁଲାମ ନବି ଆଜାଦଙ୍କ ଘରେ ଆୟୋଜିତ ବୈଠକରେ କପିଲ୍ ସିବଲ, ଶଶି ଥରୁର, ଆନନ୍ଦ ଶର୍ମା, ମନୀଷ ତିଓ୍ଵାରୀ, ଭୂପିନ୍ଦର ହୁଡ୍ଡା, ଅଖିଲେଶ ପ୍ରସାଦ ସିଂହ, ପୃଥ୍ଵୀରାଜ ଚହ୍ଵାଣ, ରାଜ ବବ୍ବର, ପିଜେ କୁରିୟନ ଏବଂ ମଣିଶଙ୍କର ଆୟର ସାମିଲ ଥିଲେ।