fbpx

ରାସ୍ତା କଡ଼ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ।

ମାଲକାନଗିରି , ୫ା୧ (ଓଡିଶା ଭାସ୍କର)ପୁଣି ଅଲୋଡା ହେଲା ଶିଶୁ କନ୍ୟା । ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଛକ ନିକଟ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଗାଈ ଚରାଉଥିବା ବେଳେ ଏକ ମହିଳା ଏହି ଶିଶୁଟିକୁ ଉଦ୍ଧାର କଲେ । ଖବର ପାଇ ଚାଇଲଡ଼ ହେଲ୍ପ ଲାଇନର ସଦସ୍ୟ ଶିଶୁ କନ୍ୟାଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି ।
ମାଲକାନଗିରି ସହରଠାରୁ ମାତ୍ର 8 କିଲୋମିଟର ଦୂର ତଣ୍ଡାପାଲି ଛକ ନିକଟରେ ରହିଥିବା ଏକ ଜଙ୍ଗଲରୁ ଏହି ନବଜାତ ଶିଶୁ କନ୍ୟାକୁ କେହି ଫୋପାଡ଼ି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଜଙ୍ଗଲରେ ଗାଈ ଚରାଉଥିବା ଏକ ମହିଳା ପିଲାର କାନ୍ଦ ଶୁଣିଥିଲେ । ପରେ ସେହି ମହିଳା ସାମାଜିକ କର୍ମୀ ପୂର୍ଣ୍ଣିମା ସହାଙ୍କୁ ଜଣାଇଥିଲେ । ଖବର ପାଇ ପୂର୍ଣ୍ଣିମା ପୋଲିସ ଓ ଚାଇଲଡ଼ ହେଲ୍ପ ଲାଇନ ନମ୍ବର 1098 କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ ।
ଫୋନ ପାଇବା ସଙ୍ଗେ ସଙ୍ଗେ ପୋଲିସ ଓ ଚାଇଲଡ଼ ଲାଇନର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଶିଶୁଟିକୁ କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅବସ୍ଥାରେ ଛାଡି ଚାଲିଯାଇଛି ସେନେଇ ପୋଲିସ ଅଧିକ ତଦନ୍ତ ଚଲାଇଛି ।
ଏହି ଜଙ୍ଗଲ ନିକଟରେ ଏମଭି 7, ଏମଭି 15 ଓ ତଣ୍ଡାପାଲି ଗ୍ରାମ ଲାଗିଛି । ଏହି ଶିଶୁ କନ୍ୟାଟି ଏହି ତିନି ଗ୍ରାମର ନା ଅନ୍ୟ କୌଣସି ଗ୍ରାମର ଲୋକ ଏଠି ଫିଙ୍ଗି ଦେଇ ଚାଲିଯାଇଛନ୍ତି, ତାହା ତଦନ୍ତ କରାଯିବା ପରେ ଜଣାପଡିବ ବୋଲି ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ କହିଛନ୍ତି ।

Get real time updates directly on you device, subscribe now.