fbpx

ଚିକେନକୁ ନେଇ ମହାଭାରତ: ଶାଶୂଘର ଆଗରେ ଧାରଣାରେ ବସିଲା ବୋହୂ

Advertisement

ଲଖନଉ: ଉତ୍ତରପ୍ରଦେଶର ସହାରନପୁରରେ ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଘଟଣା ସାମ୍ନାକୁ ଆସିଛି । ବିବାହିତାଙ୍କୁ ଶାଶୂଘରେ ପଶିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ଅଷ୍ଟ୍ରେଲିଆରେ ରହୁଛନ୍ତି । ଏପଟେ ଶାଶୂ, ଶଶୂର ତାଙ୍କୁ ଘରେ ପଶିବାକୁ ଦେଉନାହାନ୍ତି । ଏଭଳି ଘଟଣାରେ ପୀଡ଼ିତା ଜଣକ ଏସଏସପିଙ୍କୁ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅଦୁସାରେ, ହରିୟାଣାର ସିରସା ବାସିନ୍ଦା ମନପୀତି କୌର କହିଛନ୍ତି ଯେ, ତାଙ୍କ ବିବାହ ୨୨ ଡିସେମ୍ବର ୨୦୨୨ରେ ଲକ୍ଷ୍ମୀନଗର ବାସିନ୍ଦା ଜଣେ ଯୁବକଙ୍କ ସହ ହୋଇଥିଲା । ବାହାଘରର କିଛି ଦିନ ପରେ ତାଙ୍କ ସ୍ୱାମୀ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ଏହା ପରେ ଶାଶୂ, ଶଶୂର ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ । ଏହି କାରଣ ଯୋଗୁଁ ସେ ନିଜ ବାପଘର ଚାଲିଯାଇଥିଲେ । ଶୁକ୍ରବାର ଦିନ ବାପଘରୁ ଫେରିବାକୁ ଶାଶୂଘର ଲୋକେ ଆଉ କବାଟ ଫିଟାଇନଥିଲେ । ଫଳରେ ଗତ ୨ ଦିନ ହେବ ମହିଳା ଜଣକ ଶାଶୂଘର ଆଗରେ ଧାରଣାରେ ବସିଛନ୍ତି ।

ଏହା ସହ ମହିଳା ଜଣକ ଅଭିଯୋଗ କରିଛନ୍ତି କି, ଶାଶୂଘର ଲୋକେ ତାଙ୍କୁ ନିଜ ସ୍ୱାମୀଙ୍କ ପାଖକୁ ପଠାଇବାକୁ ୪ ଲକ୍ଷ ଟଙ୍କା ମାଗୁଛନ୍ତି । ଟଙ୍କା ନଦେଲେ ଘରକୁ ପ୍ରବେଶ ନାହିଁ ବୋଲି କହିଛନ୍ତି । ଏହା ସହ ଛାଡ଼ପତ୍ରର ଧମକ ମଧ୍ୟ ଦେଇଛନ୍ତି । ଏହା ଏକ ପ୍ରେମ ବିବାହ ହୋଇଥିବା ବେଳେ ମହିଳାଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀଙ୍କ ସହ କଥା ମଧ୍ୟ ହୋଇସାରିଛନ୍ତି । ଜଣାପଡିଛି ଯେ, ବିବାହିତା ଜଣକ ପୂର୍ବରୁ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏଥିପାଇଁ ଶାଶୂଘର ଲୋକେ ଓ ସ୍ୱାମୀ ତାଙ୍କୁ ଘରେ ପୂରାଇବାକୁ ଚାହୁଁନାହାନ୍ତି ।

ଅନ୍ୟପଟେ ଏସପି ରାଜେଶ କୁମାର କହିଛନ୍ତି ଯେ, ସ୍ୱାମୀଙ୍କ ଘରେ ରୋଷେଇକୁ ନେଇ ବିବାହିତାଙ୍କ ଝଗଡ଼ା ହୋଇଥିଲା । ସ୍ୱାମୀ ଘରେ ଚିକେନ୍ ରୋଷେଇ ହୁଏ । ବାହାଘର ପୂର୍ବରୁ ଶାଶୂଘର ଲୋକେ ଏହା କହିଥିଲେ । ସେବେ ବିବାହିତା ଜଣକ ସମସ୍ତ କଥାକୁ ସ୍ୱୀକାର କରିଥିଲେ । କିନ୍ତୁ ଏବେ ସେହି କଥାକୁ ନେଇ ଝଗଡ଼ା କରୁଛନ୍ତି ।

Get real time updates directly on you device, subscribe now.