ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି । ଯାହା ଯୋଗୁଁ ସୁନା ପୁଣି ଥରେ ୯୧ ହଜାର ଟଙ୍କା ଅତିକ୍ରମ କରିଛି । ବିଶେଷଜ୍ଞଙ୍କ ମତରେ, ଡୋନାଲ୍ଡ ଟ୍ରମ୍ପଙ୍କ ଅଟୋ ଶୁଳ୍କ ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି,ଯାହା ଯୋଗୁଁ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି ।
ଅନ୍ୟପକ୍ଷରେ, ଜିଓ-ରାଜନୈତିକ ଉତ୍ତେଜନା ମଧ୍ୟ ଦୃଶ୍ୟମାନ ହେଉଛି । ଯାହାର ପ୍ରଭାବ ସୁନାର ମୂଲ୍ୟରେ ଦେଖିବାକୁ ମିଳୁଛି । ବିଶେଷଜ୍ଞଙ୍କ ମତରେ, ଯଦି ଆଗାମୀ ଦିନରେ ସୁନା ମୂଲ୍ୟରେ ଏହିପରି ବୃଦ୍ଧି ଜାରି ରହେ, ତେବେ ସୁନା ମୂଲ୍ୟ ପୁଣି ଥରେ ରେକର୍ଡ ଭାଙ୍ଗିପାରେ । ତେବେ ଆସନ୍ତୁ ଜାଣିବା ଦେଶର ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ କେତେ ?
ଲଗାତାର ଦ୍ୱିତୀୟ ଦିନ ପାଇଁ ବୃଦ୍ଧି
ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ବିଦେଶୀ ବଜାରରେ ଏକ ଦୃଢ଼ ଧାରା ମଧ୍ୟରେ ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ୩୬୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୯୧,୦୫୦ ଟଙ୍କାରେ ପହଞ୍ଚିଛି । ବୁଧବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ଏହି ମୂଲ୍ୟବାନ ଧାତୁ ୧୦ ଗ୍ରାମ ପିଛା ୯୦,୬୮୫ ଟଙ୍କାରେ ବନ୍ଦ ହୋଇଥିଲା ।
୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ମଧ୍ୟ ୩୬୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୯୦,୬୦୦ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଦିନ ୧୦ ଗ୍ରାମ ପିଛା ୯୦,୨୩୫ ଟଙ୍କା ଥିଲା । ଏହାର ଅର୍ଥ ହେଉଛି ଦୁଇ ଦିନରେ ସୁନା ମୂଲ୍ୟରେ ୬୦୦ ଟଙ୍କା ବୃଦ୍ଧି ଘଟିଛି ।
ରୂପାର ମୂଲ୍ୟ ମଧ୍ୟ ୨୦୦ ଟଙ୍କା ବୃଦ୍ଧି ପାଇ ୧,୦୧,୭୦୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି । ବୁଧବାର ଏହା କିଲୋଗ୍ରାମ ପିଛା ୧,୦୧,୫୦୦ ଟଙ୍କାରେ ବନ୍ଦ ହୋଇଥିଲା ।
ଏହି ସମୟରେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ଏପ୍ରିଲ ଡେଲିଭରି ପାଇଁ ସୁନା ଫ୍ୟୁଚର୍ସ ୮୨୮ ଟଙ୍କା କିମ୍ବା ୦.୯୪ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୮୮,୪୬୬ ଟଙ୍କା ରେକର୍ଡ ସ୍ତରରେ ବନ୍ଦ ହୋଇଛି ।