ନୂଆଦିଲ୍ଲୀ: ମଣିଷ ଶରୀର ପାଇଁ ରକ୍ତର ଗୁରୁତ୍ୱ କେତେ ତାହା ବୋଧହୁଏ କାହାକୁ ଅଜଣା ନଥିବ । ତେବେ ମଣିଷର ଶରୀରରେ ବିଭିନ୍ନ ପ୍ରକାରର ବ୍ଲଡ୍ ଗ୍ରୁପ ରହିଥାଏ । ସେଥିମଧ୍ୟରେ ଏ, ବି, ଏବି ଏବଂ ଓ ରହିଛି । ଏହି ଗ୍ରୁପଗୁଡ଼ିକ ଆଣ୍ଟିଜେନର ଉପସ୍ଥିତି ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ । ବ୍ଲଡ ଗ୍ରୁପ ଏ’ରେ ଏ ଆଣ୍ଟିଜେନ, ବ୍ଲଡ୍ ଗ୍ରୁପ ବି’ରେ ବି ଆଣ୍ଟିଜେନ, ବ୍ଲଡ ଗ୍ରୁପ ଏବି’ରେ ଉଭୟ ଆଣ୍ଟିଜେନ, ବ୍ଲଡ୍ ଗ୍ରୁପ ଓ’ରେ କୌଣସି ଆଣ୍ଟିଜେନ ନଥାଏ ।
ଏ ଓ ବି ଆଣ୍ଟିଜେନକୁ ଛାଡ଼ିଦେଲେ ଆମର ରେଡ୍ ବ୍ଲଡ୍ ସେଲରେ ଏକ ପ୍ରୋଟିନକୁ ଚିହ୍ନଟ କରାଯାଇଛି, ଯାହାକୁ କି ରିସସ ନୁଲ (ଆରଏଚ) ଫ୍ୟାକ୍ଟର ବୋଲି କୁହାଯାଉଛି । ଏହି ବିରଳ ରକ୍ତ ବିଶ୍ୱର ମାତ୍ର ୫୦ ଜଣରୁ କମ୍ ବ୍ୟକ୍ତିଙ୍କ ଠାରେ ରହିଥାଏ । ତେଣୁ ଏହାକୁ ‘ଗୋଲ୍ଡେନ ବ୍ଲଡ୍’ କୁହାଯାଇଥାଏ । ଆରଏଚ ଫ୍ୟାକ୍ଟରର ଉପସ୍ଥିତି ବା ଅନୁପସ୍ଥିତିରେ ବ୍ଲଡ୍ ଟାଇପ୍ ପଜିଟିଭ୍ କି ନେଗେଟିଭ୍ ତାହା ଜଣାପଡ଼ିଥାଏ ।
ଜଣେ ବ୍ୟକ୍ତି ବ୍ଲଡ୍ ଆଣ୍ଟିଜେନ ସହିତ କମ୍ପାଟିବଲ ହେଲେ ହିଁ ସେ ଅନ୍ୟ ଜଣଙ୍କୁ ରକ୍ତ ଦେଇ ପାରିବ । ତେଣୁ ଏପରି କ୍ଷେତ୍ରରେ ଆରଏଚ ନେଗେଟିଭ୍ ବ୍ଲଡ ଉଭୟ ଆରଏଚ ନେଗେଟିଭ୍ ଓ ଆରଏଚ ପଜିଟିଭଙ୍କୁ ରକ୍ତ ଦେଇ ପାରିବେ । କାରଣ ଆରଏଚ ନେଗେଟିଭଙ୍କଠାରେ ଆବଶ୍ୟକ ମୁତାବକ ପ୍ରୋଟିନର ଅଭାବ ରହିଥାଏ । ଆରଏଚ ନେଗେଟିଭ୍ ଅପେକ୍ଷା ଆରଏଚ ପଜିଟିଭ୍ ଅଧିକ ସାଧାରଣ ହୋଇଥାଏ ।
ଗତ ୧୯୬୧ ମସିହାରେ ଗୋଲ୍ଡେନ ବ୍ଲଡର ପ୍ରଥମ କେସ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କଠାରୁ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ଏନେଇ ଅନେକ କେସ ଆସିଥିଲେ ହେଁ ବୈଜ୍ଞାନିକମାନେ ୬ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଚିହ୍ନଟ କରିଥିଲେ । ଏହା ସମ୍ପୂର୍ଣ୍ଣ ସତ୍ୟ ହୋଇନପାରେ, ମାତ୍ର ବର୍ତ୍ତମାନ ସାରା ବିଶ୍ୱରେ ମାତ୍ର ୪୩ ଜଣ ଏହି ଗୋଲ୍ଡେନ ବ୍ଲଡ ଗ୍ରୁପର ଲୋକ ରହିଛନ୍ତି ।