ମାର ମାର, ଆହୁରି ମାର… ବରେଲି ପୋଲିସକୁ ପିଟିପକାଇଲେ ଜୁଆଡ଼ି, ମନ୍ଦିରରେ ନିଜକୁ ବନ୍ଦ କରି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ଦୀପାବଳି ରାତିରେ ଉତ୍ତରପ୍ରଦେଶର ବରେଲିରେ ଜୁଆଡ଼ିମାନେ ପୋଲିସକୁ ମାଡ ମାରିଥିଲେ । ଜୁଆ ଖେଳାଳିମାନେ ଇନ୍ସପେକ୍ଟର ତଥା କନଷ୍ଟେବଳଙ୍କୁ ବାଡି ଓ ପଥରରେ ଆକ୍ରମଣ କରି ପିଟିଥିଲେ । ତାଙ୍କର ୟୁନିଫର୍ମ ଚିରିଦେଇଥିଲେ । ଜଣେ ପୋଲିସ ମନ୍ଦିରରେ ତାଲା ପକାଇ ନିଜ ଜୀବନ ରକ୍ଷା କରିଥିଲେ । ଜୁଆ ଖେଳାଳିଙ୍କ ଆକ୍ରମଣରେ ଜଣେ ସବ୍-ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

୧୫ ଜଣ ନାମିତ ଏବଂ ୨୦ ରୁ ୨୫ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ବରେଲି ସିଟି ପୋଲିସ ଅଧୀକ୍ଷକଙ୍କ ଅନୁଯାୟୀ ୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅବଶିଷ୍ଟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଚଢ଼ାଉ କରୁଛି । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିଯୁକ୍ତମାନେ ପୋଲିସକୁ ଖରାପ ଭାବରେ ମାଡ ମାରୁଥିବା ଦେଖିବାକୁ ମିଳିଛି ।

ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ଗୁରୁବାର ଦୀପାବଳି ରାତିରେ ପ୍ରେମନଗର ପୋଲିସ ଷ୍ଟେସନ ଅଞ୍ଚଳର ବାଙ୍କେରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଥିଲେ । ଯେତେବେଳେ ପୋଲିସ ଟିମ୍ ହୋଲି ଚୌକରେ ପହଞ୍ଚିଥିଲେ, ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ସେମାନେ ମଦ୍ୟପାନ କରୁଥିଲେ ଏବଂ ଜୁଆ ଖେଳୁଥିଲେ । ଯେତେବେଳେ ସେଠାରୁ ତାଙ୍କୁ ଚାଲିଯିବାକୁ କୁହାଗଲା, ଅଭିଯୁକ୍ତମାନେ ବାଡ଼ି ଓ ପଥରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇନ୍ସପେକ୍ଟର ସୁଭମ ଚୌଧୁରୀ ଏବଂ କନଷ୍ଟେବଳ ମନୀଷ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ବିଳମ୍ବିତ ରାତିରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।