ଗୋପାଳଙ୍କୁ ଗୋଟିଏ ଗାଈ ପାଇଁ ପ୍ରତିମାସରେ ଦିଆଯିବ ୯୦୦ ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଲଖନଊ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟ୍ ଦେବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ବିଜେପି ନିଜର ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ନିଜର ଅସ୍ୱିତ୍ୱ ରକ୍ଷା କରିବାକୁ ଲାଗିପଡିଛନ୍ତି । ଗତ ୩ଟି ପର୍ଯ୍ୟାୟ ଭୋଟିଂ ପ୍ରତିଶତକୁ ଦେଖି ଏଥର ନିର୍ବାଚନରେ କିଏ ବିଜୟୀ ହେବ, ତାହା କହିବା କଷ୍ଟକର ହୋଇପଡିଛି ।

ସମସ୍ତ କାମ ଛାଡ଼ି ଭୋଟ ଦେବାକୁ ଯାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କୁ ନିବେଦନ କରି କହିଛନ୍ତି । ଏହା ପୁର୍ବରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଗାଈମାନଙ୍କୁ ସୁରକ୍ଷା ଯୋଗାଉଥିବା ଲୋକଙ୍କୁ ଭୋଟ୍ ଦିଅ । ଯେଉଁମାନେ ଗାଈଙ୍କୁ ମାରନ୍ତି, ସେମାନଙ୍କୁ କେବେ ବି ଭୋଟ୍ ଦିଅନି ।’

ଅଯୋଧ୍ୟା ଜିଲ୍ଲା ମିଲ୍କିପୁର ସଂରକ୍ଷିତ ବିଧାନସଭା ଆସନ ଓ ବିକାପୁର ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୁଣିଥରେ କ୍ଷମତାକୁ ଆସିଲେ ଗାଈ ଓ ଅନ୍ୟ ଗୋରୁଙ୍କ ସୁରକ୍ଷାକୁ ବୃଦ୍ଧି କରିବାକୁ ଯାଗୀ ପ୍ରତିଶୃତି ଦେଇଛନ୍ତି । ସେ ଘୋଷଣା କରିଛନ୍ତି ଯେ, ଗାଈ ପାଳୁଥିବା ଚାଷୀ ଅର୍ଥାତ୍ ଗୋପାଳକଙ୍କୁ ପ୍ରତି ଗାଈ ପିଛା ମାସକୁ ୯୦୦ ଟଙ୍କା ଦିଆଯିବ । ଗାଈଙ୍କ ସୁରକ୍ଷାକୁ ନେଇ ତାଙ୍କ ସରକାର କୌଣସି ଆପୋଷ ବୁଝାମଣା କରିବେ ନାହିଁ ।