ଦେଶର ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଲେ ୧୭ ନୂତନ ବିଚାରପତି, ୧୬ ଜଣ ହେଲେ ସ୍ଥାନାନ୍ତର, ସରକାର ଜାରି କଲେ ବିଜ୍ଞପ୍ତି

ନୂଆଦିଲ୍ଲୀ: କଲେଜିୟମର ସୁପାରିଶକୁ ଅନୁମୋଦନ କରି କେନ୍ଦ୍ର ସରକାର ଦେଶର ୧୬ ଜଣ ହାଇକୋର୍ଟର ବିଚାରପତିଙ୍କୁ ସ୍ଥାନାନ୍ତର କରିଥିବାବେଳେ ୧୭ ଜଣ ନୂତନ ବିଚାରପତି ନିଯୁକ୍ତ ପାଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ନୂତନ ବିଚାରପତି ନିଯୁକ୍ତି ଏବଂ ସ୍ଥାନାନ୍ତର ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ହସ୍ତାନ୍ତର ହୋଇଥିବା ବିଚାରପତିଙ୍କ ମଧ୍ୟରେ ମଣିପୁରର ଜଷ୍ଟିସ ଏମ.ଭି ମୁରଲୀଧରନ ମଧ୍ୟ ଅଛନ୍ତି। ତାଙ୍କୁ କଲିକତା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଟ୍ରାନ୍ସଫର ଏବଂ ନୂତନ ନିଯୁକ୍ତି ବିଷୟରେ ସୂଚନା ଦେଇଛନ୍ତି।

ସ୍ଥାନାନ୍ତର ବିଜ୍ଞପ୍ତି ଅନୁଯାୟୀ, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଏସପି କେଶରୱାନୀଙ୍କୁ କଲିକତା ହାଇକୋର୍ଟକୁ ପଠାଯାଇଛି ଏବଂ ଜଷ୍ଟିସ ରାଜେନ୍ଦ୍ର କୁମାରଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ପଠାଯାଇଛି। ଗୋହ୍ୱଟି ହାଇକୋର୍ଟରୁ ଜଜ୍ ନାନି ଟାଗିଆଙ୍କୁ ପାଟନା ହାଇକୋର୍ଟକୁ ପଠାଯାଇଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଜଷ୍ଟିସ ରାଜମୋହନ ସିଂଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ପଠାଯାଇଛି, ଜଷ୍ଟିସ ଅରବିନ୍ଦ ସିଂ ସାଙ୍ଗୱାନଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପଠାଯାଇଛି ଏବଂ ଜଷ୍ଟିସ ଅବନୀଶ ଜିଙ୍ଗନ ଏବଂ ଜଷ୍ଟିସ ଅରୁଣ ମୋଙ୍ଗାଙ୍କୁ ରାଜସ୍ଥାନ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ଜଷ୍ଟିସ ସି ମନଭେନ୍ଦ୍ର ନାଥ ରୟଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ଗୁଜୁରାଟ ହାଇକୋର୍ଟକୁ ପଠାଯାଇଛି ଏବଂ ଅତିରିକ୍ତ ବିଚାରପତି ଜଷ୍ଟିସ ଡୁପାଲ ଭେଙ୍କଟା ରମଣଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ପଠାଯାଇଥିବାବେଳେ କଲିକତା ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ ଲୁପିତା ବାନାର୍ଜୀଙ୍କୁ ପଞ୍ଜାବକୁ ପଠାଯାଇଛି। ଏଥି ସହ ଜଷ୍ଟିସ ମୁନ୍ନୁରୀ ଲକ୍ଷ୍ମଣଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ରାଜସ୍ଥାନକୁ ପଠାଯାଇଛି ଏବଂ ଜଷ୍ଟିସ ଅନୁପମା ଚକ୍ରବର୍ତ୍ତୀଙ୍କୁ ପାଟନା ହାଇକୋର୍ଟକୁ ପଠାଯାଇଛି।

କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ ନରେନ୍ଦ୍ରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ପଠାଯାଇଥିବାବେଳେ ପାଟନା ହାଇକୋର୍ଟର ଜଷ୍ଟିସ ସୁଧୀର ସିଂଙ୍କୁ ପଞ୍ଜାବ-ହରିୟାଣା ଏବଂ ଜଷ୍ଟିସ ମଧୁରେଶ ପ୍ରସାଦଙ୍କୁ କଲିକତା ହାଇକୋର୍ଟକୁ ପଠାଯାଇଛି। ଅନ୍ୟପକ୍ଷରେ ଜଷ୍ଟିସ ଏମ.ଭି ମୁରଲୀଧରନଙ୍କୁ ମଣିପୁର ହାଇକୋର୍ଟରୁ କଲିକତା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି।