ସରକାରଙ୍କ ବଡ଼ ଘୋଷଣା, ଏଣିକି ବୁଢ଼ା ବାପା-ମା’ଙ୍କ ସେବା କରିବା ପାଇଁ ମିଳିବ ୩୦ ଦିନ ଛୁଟି!

ନୂଆଦିଲ୍ଲୀ: ଏଣିକି ବୃଦ୍ଧ ବାପା ମାଆଙ୍କ ସେବା କରିବା ପାଇଁ ପୁଅ ଝିଅ ନେଇ ପାରିବେ ମାସେ ଛୁଟି। ହଁ ଆପଣ ମାନେ ଠିକ୍ ଶୁଣିଛନ୍ତି। ପିଲାମାନେ ବାପା ମାଆଙ୍କ ସେବା କରିବା ପାଇଁ ୩୦ ଦିନ ଛୁଟି ନେଇପାରିବେ। ହେଲେ ସମସ୍ତେ ନୁହେଁ। କେବଳ କେନ୍ଦ୍ର ସରକାରୀ କର୍ମଚାରୀ।

ସେବା ନିୟମ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ୩୦ ଦିନର ଛୁଟି ଦିଆଯିବ। ଯାହାଦ୍ୱାରା ସେମାନେ ତାଙ୍କର ବୃଦ୍ଧ ପିତା ମାତାଙ୍କ ଯତ୍ନ ନେଇ ପାରିବେ। ଏନେଇ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୁରୁବାର ଦିନ ରାଜ୍ୟସଭାରେ ଏକଥା କହିଛନ୍ତି।

ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ସରକାରୀ କର୍ମଚାରୀମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ଛୁଟି ପାଇବାର କୌଣସି ବ୍ୟବସ୍ଥା ଅଛି କି?

“କେନ୍ଦ୍ରୀୟ ସିଭିଲ୍ ସେବା (ଛୁଟି) ନିୟମ, ୧୯୭୨ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଅନ୍ୟାନ୍ୟ ଯୋଗ୍ୟ ଛୁଟି ବ୍ୟତୀତ ୩୦ ଦିନର ଅର୍ଜିତ ଛୁଟି, ୨୦ ଦିନର ଅଧା ବେତନ ଛୁଟି, ଆଠ ଦିନର ଆକସ୍ମିକ ଛୁଟି ଏବଂ ପ୍ରତିବର୍ଷ ଦୁଇ ଦିନର ପ୍ରତିବନ୍ଧିତ ଛୁଟି ପ୍ରଦାନ କରାଯାଇଛି।

ଯାହା ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସମେତ ଯେକୌଣସି ବ୍ୟକ୍ତିଗତ କାରଣରୁ ଉପଲବ୍ଧ ହୋଇପାରିବ,” ସିଂହ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି।