ଭାରତୀୟଙ୍କ ପାଇଁ ଖୁସି ଖବର, ରିଲ୍ସ ତିଆରି କଲେ ସରକାର ଦେବେ ୧୫ ହଜାର ଟଙ୍କା

ସ୍ୱଳ୍ପ ସମୟ ପାଇଁ ରହିଛି ସୁଯୋଗ।

ନୂଆଦିଲ୍ଲୀ: ଆପଣ ରିଲ୍ସ କରିବାରେ ସୋଉକ୍ ରଖୁଛନ୍ତି କି, ତାହାଲେ ଆପଣଙ୍କ ପାଇଁ ଖୁସି ଖବର। ରିଲ୍ସ ତିଆରି କଲେ କେନ୍ଦ୍ର ସରକାର ଦେବେ ୧୫ ହଜାର ଟଙ୍କା। କଥାଟି ଆପଣଙ୍କୁ ମିଛ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହୋଇଛି। କେନ୍ଦ୍ରରେ ସରକାର ଗଠନ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୫ ଜୁଲାଇ ୧ ରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଡିଜିଟାଲ ଇଣ୍ଡିଆର ୧୦ ବର୍ଷ ପୂରଣ ଅବସରରେ ସରକାର ଦେଶବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ଏହି ପ୍ରତିଯୋଗିତାର ନାଁ ‘ଡିଜିଟାଲ ଇଣ୍ଡିଆର ଏକ ଦଶନ୍ଧି – ରିଲ୍ ପ୍ରତିଯୋଗିତା’।

ଏହି ପ୍ରତିଯୋଗିତା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତା ଅଧୀନରେ ଅଂଶଗ୍ରହଣ କରିବାକୁ ନାଗରିକମାନଙ୍କୁ ନିମନ୍ତ୍ରଣ କରାଯାଇଛି।

ବିଜେତା ପାଇବେ ୧୫ ହଜାର ଟଙ୍କା: ଏହି ପ୍ରତିଯୋଗିତା ଅଧୀନରେ ଆପଣଙ୍କୁ ଆପଣଙ୍କର ବ୍ୟକ୍ତିଗତ କାହାଣୀ ଏବଂ ସୃଜନଶୀଳ ରିଲ୍ ସେୟାର କରିବାକୁ ପଡିବ। ଯାହା ଡିଜିଟାଲ୍ ଇଣ୍ଡିଆ ଅଭିଯାନ ସହିତ ଜଡିତ।

ଆପଣଙ୍କୁ ଏପରି ଏକ ରିଲ୍ କରିବାକୁ ପଡ଼ିବ ଯାହା ଦେଖାଇବ ଯେ ଡିଜିଟାଲ୍ ଇଣ୍ଡିଆ ଆପଣଙ୍କ ଜୀବନକୁ କିପରି ସକାରାତ୍ମକ ଭାବରେ ପ୍ରଭାବିତ କରିଛି।

ସରକାରୀ ସେବା ପାଇଁ ଅନଲାଇନ୍ ପ୍ରବେଶ ଠାରୁ ଆରମ୍ଭ କରି ଡିଜିଟାଲ୍ ଶିକ୍ଷା, ସ୍ୱାସ୍ଥ୍ୟ ସେବା କିମ୍ବା ଆର୍ଥିକ ଉପକରଣର ଲାଭ ପର୍ଯ୍ୟନ୍ତ ପ୍ରତ୍ୟେକ ରିଲ୍ ସାରା ଦେଶରେ ପ୍ରଯୁକ୍ତିବିଦ୍ୟା କିପରି ନାଗରିକଙ୍କୁ ସଶକ୍ତ କରିଛି ତାହା ଉପରେ ଆଲୋକପାତ କରିବ।

କେନ୍ଦ୍ର ସରକାର ଏହି ପ୍ରତିଯୋଗିତା ଅଧୀନରେ ପୁରସ୍କାର ମଧ୍ୟ ଦେବେ। ଶ୍ରେଷ୍ଠ ୧୦ ଜଣ ବିଜେତାଙ୍କୁ ପ୍ରତ୍ୟେକଙ୍କୁ ୧୫,୦୦୦ ଟଙ୍କା, ତା’ପରେ ୨୫ ଜଣ ବିଜେତାଙ୍କୁ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଏବଂ ପରବର୍ତ୍ତୀ ୫୦ ବିଜେତାଙ୍କୁ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯିବ।

ଏହି ଜିନିଷ ଉପରେ ଧ୍ୟାନ ଦେବେ: ଡିଜିଟାଲ୍ ଇଣ୍ଡିଆର ଏକ ଦଶକ ରିଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆପଣଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ପଡ଼ିବ। ଆପଣଙ୍କର ରିଲ୍ ଅତି କମରେ ୧ ମିନିଟ୍ ଲମ୍ୱା ହେବା ଉଚିତ୍।

ଆପଣଙ୍କ ରିଲ୍ ସମ୍ପୂର୍ଣ୍ଣ ମୌଳିକ ହେବା ଉଚିତ୍ ଏବଂ ପୂର୍ବରୁ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ହୋଇନଥିବ। ଆପଣ ହିନ୍ଦୀ, ଇଂରାଜୀ ବ୍ୟତୀତ ଅନ୍ୟ ଯେକୌଣସି ସ୍ଥାନୀୟ ଭାଷାରେ ଆପଣଙ୍କର ରିଲ୍ ତିଆରି କରିପାରିବେ।

ରିଲଟି ପୋଟ୍ରେଟ୍ ମୋଡ୍‌ରେ ଏବଂ MP4 ଫାଇଲ୍‌ରେ ତିଆରି ହେବା ଉଚିତ। ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ, ଆପଣ ମୋ ସରକାରର ୱେବସାଇଟ୍ https://www.mygov.in/task/decade-digital-india-reel-contest/ ରେ ସମ୍ପୂର୍ଣ୍ଣ ବାବରଣୀ ପାଇପାରିବେ।