ଭାରତୀୟ ବଜାରରେ ଆଉ ଏକ ସ୍ୱଦେଶୀ ଟିକା: ୧୨-୧୭ ବର୍ଷଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ଆଉ ଏକ ସ୍ୱଦେଶୀ ଟିକା । ଶୁକ୍ରବାର ଭାରତୀୟ ଟିକା କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମଗାଯାଇଛି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଡିସିଜିଆଇଙ୍କ ନିକଟରେ ଏହି ଆବେଦନ କରାଯାଇଛି । ୧୨ରୁ ୧୭ ବର୍ଷ ବୟସ୍କଙ୍କ ଠାରେ ଏହି ଟିକାର ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମଗାଯାଇଛି । ଡିସିଜିଆଇ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଏହି ସୂଚନା ଦେଇଛନ୍ତି ।

୧୨-୧୭ ବର୍ଷ ବୟସ ବର୍ଗରେ ୨୭୦୦ ଶିଶୁଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣରୁ କୋଭାଭାକ୍ସ ଅତ୍ୟନ୍ତ ଫଳପ୍ରଦ ଓ ସୁରକ୍ଷିତ ସାବ୍ୟସ୍ତ ହୋଇଥିଲା । ସରକାରଙ୍କ ବିଶେଷଜ୍ଞ କମିଟି ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ କୋଭୋଭାକ୍ସକୁ ବରିଷ୍ଠ ନାଗରିକଙ୍କ ଠାରେ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଡିସେମ୍ବର ୨୮ ତାରିଖରେ ଏହି ଅନୁମତି ପ୍ରଦାନ କରାଯାଇଥିଲା । ଏହି ଅନୁମତି ପ୍ରଦାନ କରାଯିବା ଦ୍ୱାରା କେବଳ ଭାରତର ଶିଶୁ ନୁହନ୍ତି ବରଂ ସମଗ୍ର ବିଶ୍ୱର ଶିଶୁଙ୍କୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ଡିସିଜିଆଇ ପକ୍ଷରୁ କୁହାଯାଇଛି । ଏହି ଟିକାକୁ ମେକିଂ ଇନ୍ ଇଣ୍ଡିଆ ଫର ଦ ୱାର୍ଲ୍ଡ ବୋଲି କହିଛନ୍ତି ସେରମ ସିଇଓ ଆଦର ପୁନାଓ୍ବାଲା । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୮ ତାରିଖରେ ଏହି ଅନୁମତି ପ୍ରଦାନ କରାଯାଇଥିଲେ ହେଁ ଏହାକୁ ଦେଶର ଟିକାକରଣରେ ସାମିଲ କରାଯାଇନାହିଁ । ଏହା ସହିତ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମତି ମଧ୍ୟ ମିଳି ସାରିଛି । ବର୍ତ୍ତମାନ ୧୫-୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଟିକା ଲଗାଯାଉଛି ।