ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ, ୧୦ଟି ସ୍ଥାନରେ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୋଟିପତି ସରକାରୀ ବାବୁ । ଏହି ବାବୁ ଜଣଙ୍କ ହେଉଛନ୍ତି ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର । ଏହି ହାଇପ୍ରୋଫାଇଲ ରେଡରେ ଏକାଧିକ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

ସୂଚନା ମୁତାବକ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ଟି ଜାଗାରେ ଚଢ଼ାଉ କରାଯାଇଛି । ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ରେଡ୍ କରାଯାଇଥିବା ବେଳେ ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଭିଜିଲାନ୍ସର ଅନ୍ୟ ଅଧିକାରୀମାନେ ସାମିଲ ରହିଥିଲେ । ଶ୍ରୀ ସାମଲଙ୍କର ଆଇଆରସି ଭିଜେଲର ୩ ମହଲା କୋଠା, ଜୟଦେବ ବିହାରରେ ୬ ମହଲା କୋଠା, ଖଣ୍ଡଗିରିରେ ଭଡ଼ାରେ ଲାଗିଥିବା ଘର, ଜୟଦେବ ବିହାର ଫ୍ଲାଟ, ଭଦ୍ରକରେ ତିନି ମହଲା କୋଠା, ବାଲେଶ୍ୱରରେ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର, ଓପିଏଚଡବ୍ଲ୍ୟୁସି ଅଫିସରେ ଚଢ଼ାଉ କରାଯାଇଥିଲା ।