fbpx

କୋର୍ଟ-ସରକାର ମଧ୍ୟରେ ବଢିବ ତିକ୍ତତା, କଲେଜିୟମର ୧୯ ନାଁ ଫେରାଇ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କଲେଜିୟମ ଜରିଆରେ ଜଜଙ୍କ ନିଯୁକ୍ତିକୁ ନେଇ ନ୍ୟାୟାପାଳିକା ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। କେନ୍ଦ୍ର ସରକାର ଉଚ୍ଚ ନ୍ୟାୟାଳୟଙ୍କ ଜଜଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟର କଲେଜିୟମ ଦ୍ଵାରା ସୁପାରିସ କରାଯାଇଥିବା ୨୧ ନାମ ମଧ୍ୟରୁ ୧୯ ଫେରାଇ ଦେଇଛନ୍ତି। ନଭେମ୍ବର ୨୮ରେ ଜଜଙ୍କ ନିଯୁକ୍ତି ଉପରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଏସବୁ ନାମକୁ କେନ୍ଦ୍ର ଫେରାଇ ଦେଇଛି। ଏଥିରେ ଏମିତି ୧୦ ନାମ ରହିଥିଲା, ଯାହା କଲେଜିୟମ କେନ୍ଦ୍ର ସରକାରଙ୍କ ନିକଟକୁ ପୁନର୍ବାର ସୁପାରିସ କରିଥିଲା। ସେହିପରି ନଅ ନାମ ପ୍ରଥମ ଥର ସୁପାରିସ କରାଯାଇଥିଲା।

କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଟ୍ଵିଟ୍ ଜରିଆରେ ସୂଚନା ଦେଇଥିଲେ ଯେ, କେନ୍ଦ୍ର ସରକାର ସୁଇ ସୁପାରିସ ସ୍ଵୀକାର କରିଛନ୍ତି। ସେହି ଅନୁସାରେ, ଆଇନଜୀବୀ ସନ୍ତୋଷ ଗୋବିନ୍ଦ ଚପଲଗାଓଁକର ଏବଂ ମିଲିନ୍ଦ ସଥାୟେଙ୍କୁ ବମ୍ବେ ହାଇକୋର୍ଟର ଜଜ ଭାବେ ନିଯୁକ୍ତ କରାଯାଇଛି। କଲେଜିୟମ ସେପ୍ଟେମ୍ବର ୧୨ରେ ଦୁଇ ଜଣଙ୍କ ନାମ ସୁପାରିସ କରିଥିଲେ।

କେନ୍ଦ୍ର ସରକାର ଦ୍ଵାରା ଯେଉଁ ନାମକୁ ଫେରାଇ ଦିଆଗଲା, ସେଥିରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ପାଞ୍ଚ, କଲିକତା ଉଚ୍ଚ ନ୍ୟାୟାଳୟର ଦୁଇ, କେରଳ ଉଚ୍ଚ ନ୍ୟାୟାଳୟର ଦୁଇ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଜଣଙ୍କ ନାମ ସାମିଲ୍। ଏହା ବ୍ୟତୀତ ବମ୍ବେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କୁ ସୁପ୍ରିମକୋର୍ଟର ଜଜ ଭାବେ ସୁପାରିସ ପତ୍ର ଏବେ ବି କେନ୍ଦ୍ର ସରକାରଙ୍କ ନିକଟରେ ବିଚାରଧୀନ ରହିଛି।

ଏହା ପୂର୍ବରୁ ନଭେମ୍ବର ୧୧ରେ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ଵରେ ଗଠିତ ଦୁଇ ଜଣିଆ ପୀଠ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ସଚିବ ଏବଂ ଅତିରିକ୍ତ ସଚିବଙ୍କୁ ନୋଟିସ୍ ଜାରି କରିଥିଲେ। ନଭେମ୍ବର ୨୮ ପୂର୍ବରୁ ଜବାବ ଦେବାକୁ କୁହାଯାଇଥିଲା ଯେ, ସରକାର କଲେଜିୟମ ଦ୍ଵାରା ସୁପାରିସକୁ କଣ ପାଇଁ ଅଧିକ ସମୟ ପକାଇ ରଖୁଛନ୍ତି। ଏବେ କେନ୍ଦ୍ର ସରକାର କଲେଜିୟମ ଦ୍ଵାରା ସୁପାରିସ ୧୯ ନାମକୁ ଫେରାଇ ଦେବା ଦ୍ଵାରା ନ୍ୟାୟାଳୟ ଏବଂ ସରକାର ମଧ୍ୟରେ ମତଭେଦ ଆହୁରି ବଢିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.