ବରଯାତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲେ ମହୁମାଛି, ୨୦ ଜଣ ହସ୍ପିଟାଲରେ ଭର୍ତ୍ତି
ବାହାଘର ବାଣ ଶବ୍ଦରେ ବରଯାତ୍ରୀଙ୍କୁ ଆକ୍ରମଣ କଲେ ମହୁମାଛି।
ବୌଦ୍ଧ: ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ିଆ କାମୁଡ଼ି ଘାଇଲା କଲେ ମହୁମାଛି। ବାହାଘରରେ ଭୋଜି କ’ଣ ଖାଇବେ ମହୁମାଛି କାମୁଡ଼ାରେ ସିଧା ଯାଇ ହସ୍ପିଟାଲ ବେଡରେ ପଡିଲେ। ବରଯାତ୍ରୀଙ୍କୁ ବାଣ ଫୁଟାରେ ଅତର୍କୀତ ଆକ୍ରମଣ କଲେ ମହୁମାଛି।
ପ୍ରସେସନ ଚାଲିଥିଲା। ଡିଜେ ଗୀତର ତାଳେତାଳେ ଧୁମ ନାଚୁଥିଲେ ବରଯାତ୍ରୀ। ସମସ୍ତଙ୍କ ପାଦ ଉଠୁଥିଲା ପଡୁଥିଲା। ଆଉ ବାଣ ମଧ୍ୟ ଫୁଟୁଥୁଲା। ହେଲେ କିଏ ଜାଣିଥିଲା ଏହି ବାଣର ଶବ୍ଦରେ ଏପରି ଆକ୍ରମଣାତ୍ମକ ହୋଇ ପଡିବେ ମହୁମାଛି।
ଆଉ ଆସି ବରଯାତ୍ରୀଙ୍କ ଉପରେ ଆକ୍ରମଣ କରିବେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। କଣ୍ଟାମାଳ ବ୍ଲକ ଜୁନାନୀ ଗାଁକୁ ବରଯାତ୍ରୀ ନେଇ ଆସିଥିଲେ ବର। ହେଲେ ମହୁମାଛି କାମୁଡାରେ ପାଖାପାଖି ୨୦ ଜଣ ଲୋକ ଆହତ ହେଲେ।
ଆଉ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ସମସ୍ତ ବରଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରଯାତ୍ରୀ ବାଣ ଫୁଟାଇବା ପରେ ଅତର୍କିତ ଆକ୍ରମଣ କରିଥିଲେ ମହୁମାଛି।