fbpx

ରାଜ୍ୟରେ ବଢୁଛି ବାଲ୍ୟବିବାହ ଏବଂ କୁମାରୀ ମାତୃତ୍ୱ, ଉପରମୁହାଁରେ ଜଗତସିଂହପୁର

ଜଗତସିଂହପୁର: ବାଲ୍ୟ ବିବାହ ଏକ ବେଆଇନ ପ୍ରଥା ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ତଥା ଦେଶରେ ଲୁଚାଣିଆ ବାଲ୍ୟ ବିବାହ ହେଉଛି । ଝିଅ ମାନଙ୍କ ବୋଝକୁ ଉଠାଇବା ପାଇଁ ଅବିଭାବକ ମାନେ ଝିଅକୁ ଦେଶର ନାଗରିକ ହେବା ପୂର୍ବରୁ ବିବାହ କରିଦେଉଛନ୍ତି । ତେବେ ରାଜ୍ୟର ଜଗତସିଂହପୁର ଜିଲ୍ଲା ଶିକ୍ଷିତ ତଥା ଅଗ୍ରଣୀ ଜିଲ୍ଲା ହୋଇ ମଧ୍ୟ ସେଠାରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱର ସଂଖ୍ୟା ବଢିବାରେ ଲାଗିଛି ।

ନେସନାଲ ଫ୍ୟାମିଲି ହେଲଥ୍ ସର୍ଭେର ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାରେ ୨୦୧୫-୧୬ରେ ବାଲ୍ୟ ବିବାହ-୯.୭ ପ୍ରତିଶତ ଥିଲା । ଏନଏଫଏଚଏସ୍-୫ ଅନୁସାରେ, ୨୦୨୦-୨୧ରେ ଏହା ୧୨ ପ୍ରତିଶତ, ୪ ଅନୁଯାୟୀ ୧.୨ ପ୍ରତିଶତ ନାବାଳିକା ଅର୍ଥାତ ୧୫ରୁ ୧୯ ବର୍ଷର ବାଳିକା ମାନେ ମାଆ ହେଉଛନ୍ତି । ବର୍ତ୍ତମାନ ତାହା ବଢି ୨.୬ ପ୍ରତିଶତରେ ପହଁଚିଛି ।

ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୂଚନା ଅନୁସାରେ, ୧୯ ବର୍ଷ ତଳକୁ ୧୯୬ ଜଣ ବାଳିକା ମାଆ ହୋଇସାରିଥିଲେ । ଏହା ମମତା ଯୋଜନା ହିତାଧିକାରୀ ଭାବେ ସୁଫଳ ପାଇଁ ସମ୍ବେଦନ କରିବା ପରେ ଏହା ଜଣା ପଡିଥିଲା । କାରଣ ୧୯ ବର୍ଷ ତଳକୁ ଜନ୍ମ କରୁଥିବା ମାଆମାନେ ଏହି ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ । ୨୦୨୨ର ହିସାବ ନ ଆସିଥିଲେ ମଧ୍ୟ କୁମାରୀ ମାତୃତ୍ୱ ସଂଖ୍ୟା ଶତାଧିକ ବୋଲି କୁହାଯାଉଛି । ତେବେ ଏହି ରିପୋର୍ଟରେ ଜାତୀୟ ହାର ୨୩.୩ ପ୍ରତିଶତ ହୋଇଥିବା ବେଳେ ଓଡିଶା ହାର ୨୦.୫ ରହିଛି । କିନ୍ତୁ ଓଡିଶାର ୧୨ଟି ଜିଲ୍ଲା ଜାତୀୟ ହାର ଠାରୁ ଅଧିକ ରହିଛି । ଏଥିରେ ନବରଙ୍ଗପୁର ଜିଲ୍ଲା ଏକ ନମ୍ବର ରହିଥିବା ବେଳେ ସମ୍ବଲପୁର ଜିଲ୍ଲା ସର୍ବନିମ୍ନ ରହିଛି ।

Get real time updates directly on you device, subscribe now.