fbpx
BSKY SKY
BSKY SKY

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା: ୧୪ ସାମଗ୍ରୀ ଉପରେ ଲାଗିବନି GST

BSKY

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଜନତା । ପୂର୍ବରୁ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିରେ ଛଟପଟ ହେଉଥିବା ଦେଶବାସୀଙ୍କୁ ଏବେ ଡାଲି ଭାତ ଉପରେ ମଧ୍ୟ ଟିକସ ଗଣିବାକୁ ପଡ଼ିବ । ଚଳିତ ମାସ ୧୮ ତାରିଖରୁ ଦେଶରେ ଅନେକ ଖାଇବା ସାମଗ୍ରୀ ଉପରେ ବସ୍ତୁ ଓ ସେବା କର (ଜିଏସଟି) ଲାଗୁ ହୋଇଛି । ଏବେ ବ୍ରାଣ୍ଡେଡ୍ ଏବଂ ପ୍ୟାକିଂ ହୋଇଥିବା ଡାଲି, ଅଟା, ଚାଉଳ, ଦହି ଓ ଲସି ପରି ଜରୁରୀ ସାମଗ୍ରୀ ଉପରେ ଜିଏସଟି ଲାଗିବ ।

ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇ କହିଛନ୍ତି ଯେ, ୧୪ଟି ସାମଗ୍ରୀ ଉପରେ ଜିଏସଟି ଲାଗିବ ନାହିଁ ଯଦି ଏହାକୁ ଖୋଲାରେ କିଣାଯାଏ । ସେ ସୂଚନା ଦେଇ ଆହୁରି କହିଛନ୍ତି ଯେ, ଯେଉଁ ୧୪ଟି ସାମଗ୍ରୀ ଖୋଲାରେ କିଣିଲେ ଟିକସ ଲାଗିବ ନାହିଁ ସେଗୁଡ଼ିକ ହେଲା, ଡାଲି, ଗହମ, ମକା,ଚାଉଳ, ଅଟା, ସୁଜି, ବେସନ, ଦହି ଓ ଲସି । ଅର୍ଥାତ୍ ଆପଣ ଯଦି ଏହି ସବୁ ସାମଗ୍ରୀ ଖୋଲାରେ କିଣିବେ ତେବେ ଏହା ଉପରେ ଜିଏସ୍ଟି ପଡ଼ିବ ନାହିଁ ।

ସୂଚନାଯୋଗ୍ୟ ଯେ, ଏଥିପୂର୍ବରୁ ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଯଦି ଏହି ସବୁ ସାମଗ୍ରୀର ପ୍ୟାକିଂ ୨୫ କିଲୋଗ୍ରାମରୁ ଅଧିକ ହୋଇଥିବ ତେବେ ଏହା ଉପରେ ଜିଏସ୍ଟି ଲାଗିବ ନାହିଁ । ଆଉ ପ୍ୟାକ୍ ହୋଇଥିବା ଯେଉଁସବୁ ସାମଗ୍ରୀ ୨୫ କିଲୋ ପର୍ଯ୍ୟନ୍ତ ରହିଥିବ ତା’ ଉପରେ ଜିଏସଟି ଲାଗିବ । ଯଦି ରିଟେଲର, ବଡ଼ ବଡ଼ ବ୍ୟବସାୟୀ କିମ୍ବା ବିତରକଙ୍କ ଠାରୁ ୨୫ କିଲୋଗ୍ରାମର ପ୍ୟାକେଟ୍ ଆଣି ଏହାକୁ ଖୋଲାରେ ବିକିବେ ତେବେ ଏହା ଉପରେ ଜିଏସଟି ଲାଗୁ ହେବ ନାହିଁ ।

ସୂଚନାଯୋଗ୍ୟ ଯେ, ଜିଏସ୍ଟି ପରିଷଦ ନିକଟରେ ଚୂଡ଼ା, ମୁଢ଼ି, ଖଇ ଓ ଲିଆ ଉପରେ ୫% ଜିଏସ୍ଟି ଲାଗୁ କରିଛନ୍ତି ଯାହାକୁ ନେଇ ସାରା ଦେଶରୋ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତୁରନ୍ତ କେନ୍ଦ୍ର ସରକାର ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍ ଧରିଛି ।

Get real time updates directly on you device, subscribe now.