fbpx
BSKY SKY
BSKY SKY

ନୂଆ ସବ୍-ଭାରିଆଣ୍ଟ ବଢାଉଛି ସଂକ୍ରମଣ: ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଥିବା ବେଳେ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା କରୋନାର ହଟସ୍ପଟ୍ ପାଲଟିଥିବାବେଳେ ଏହାକୁ ରେଡଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଓମିକ୍ରୋନର ୨ଟି ସବ୍ ଭାରିଆଣ୍ଟ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍) ଭୁବନେଶ୍ୱର ପକ୍ଷରୁ ଗତ ସପ୍ତାହରେ ୪୦ଟି ନମୂନାର ସିକ୍ୱେନ୍ସି କରାଯାଇଥିବାବେଳେ ସେଥିରୁ କେତେକ ନମୂନାରୁ ଓମିକ୍ରୋନର ସବ୍ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ବିଏ୨୩.୮ ଓ ବିଏସ-୨.୭୩ ସବ୍-ଭାରିଆଣ୍ଟ ଚିହ୍ନଟ ପରେ ଏହି ନୂଆ ଉପ ପ୍ରଜାତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଓ କଟକରୁ ଆସିଥିବା ପଜିଟିଭ୍ ନମୂନାରୁ ଏହି ସବ୍ ଭାରିଆଣ୍ଟ ଚିହ୍ନଟ କରାଯାଇଛି ।

୩ ସପ୍ତାହରୁ କମ୍ ସମୟ ମଧ୍ୟରେ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ୩୦୦% ବୃଦ୍ଧି ପାଇଥିବାବେଳେ କଟକରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି । ତେବେ ୟୁରୋପ ଓ ଆମେରିକାରେ ବହୁଳ ଭାବେ ଦେଖାଦେଇଥିବା ବିଏ-୪ ଓ ବିଏ-୫ ଭାରିଆଣ୍ଟ ଏପର୍ଯ୍ୟନ୍ତ ଭାରିଆଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ । ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଥିବାବେଳେ ଚଳିତ ସପ୍ତାହରୁ ୩୦୦ ନମୂନାର ସିକ୍ୱେନ୍ସ କରାଯିବ ବୋଲି ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାରୁ ଅଧିକ ପରିମାଣର ନମୂନା ସଂଗ୍ରହ କରାଯାଇ ଜିନୋମ୍ ସିକ୍ୱେନ୍ସିଂ କରାଯିବ । ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଂଗରୋଧରୁ ୫୫୩ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩୯୨ ରହିଛି । ତେବେ ୧୮ ବର୍ଷରୁ କମ୍ ବୟସର ୧୧୦ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୦୩ ଓ କଟକରୁ ୭୫ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ୍ୟା ୬୩୧୬ରେ ପହଞ୍ଚିଛି ।

Get real time updates directly on you device, subscribe now.