fbpx

ବଜରଙ୍ଗ ଦଳ ନେତାଙ୍କ ମାମଲା ଖାରଜ, ମସ୍‌ଜିଦରେ ବ୍ୟାନ୍‌ ହେବନି ଲାଉଡସ୍ପିକର୍‌: ହାଇକୋର୍ଟ

ଗୁଜରାଟ: ଆଜାନ ପାଇଁ ମସ୍‌ଜିଦରେ ବ୍ୟବହାର ହେଉଥିବା ଲାଉଡସ୍ପିକର ଉପରେ ଲାଗିବନି କୌଣସି ପ୍ରତିବନ୍ଧକ। ଏନେଇ ଆଜି ମାନ୍ୟବର ଗୁଜରାଟ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି। ଅଦାଲତ ଏହି ପିଆଇଏଲ୍‌କୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି। ଏଥିସହ ଆଜାନ୍ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁନାହିଁ। ଏହି ଦାବିକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ପାଇ ନାହାନ୍ତି ବୋଲି କୋର୍ଟ କହିଛନ୍ତି।

ସୂଚନା ଅନୁଯାୟୀ, ବଜରଙ୍ଗ ଦଳର ନେତା ଶକ୍ତି ସିଂହ ଜାଲାଙ୍କ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ, ଆଜାନ୍ ପାଇଁ ଲାଉଡ୍ ସ୍ପିକର ବ୍ୟବହାର କରିବା ଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି। ଏହା ବିଶେଷ କରି ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତେବେ ଏହି ମାମଲା ନେଇ ଆଜି କୋର୍ଟରେ ଶୁଣାଣି ହୋଇଥିଲା। ବଜରଙ୍ଗ ଦଳର ନେତା କରିଥିବା ଦାବିଗୁଡ଼ିକରେ କୌଣସି ପ୍ରମାଣ ନଥିବା ଦର୍ଶାଇ ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି।

ପ୍ରଧାନ ବିଚାରପତି ସୁନିତା ଅଗ୍ରଓ୍ୱାଲ ଏବଂ ବିଚାରପତି ଅନିରୁଦ୍ଧ ପି ମେଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ‘ମାନବୀୟ ସ୍ୱର ତିଆରି ଆଜାନ୍’ ଅନୁମତି ପ୍ରାପ୍ତ ଡେସିବେଲ୍ (ଶବ୍ଦସ୍ତର) ସୀମାକୁ କିପରି ଅତିକ୍ରମ କରିପାରିବ ଏବଂ ଶବ୍ଦ ପ୍ରଦୂଷଣ ସୃଷ୍ଟି କରିପାରିବ, ତାହା ପ୍ରମାଣ କରିବାରେ ଆବେଦନକାରୀ ବିଫଳ ହୋଇଛନ୍ତି। କୋର୍ଟ କହିଛନ୍ତି, ଲାଉଡସ୍ପିକରରେ ଆଜାନ୍ କରୁଥିବା ମଣିଷର ସ୍ୱର କିପରି ଶବ୍ଦ ପ୍ରଦୂଷଣର ସ୍ତରକୁ ଛୁଇଁ ପାରିବ, ତାହା ଆମେ ବୁଝି ପାରୁ ନାହୁଁ।

ଏହା ସହ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ଢୋଲ ଓ ବାଦ୍ୟ ସହ ଆଳତି କରଯାଉଛି। ଏହା ଭୋର ୩ଟାରେ ହେଉଛି। ତେବେ, ଏଥିଯୋଗୁ କୌଣସି ପ୍ରକାରର କୋଳାହଳ ସୃଷ୍ଟି ହେଉନି କି? ଘଣ୍ଟ ଏବଂ ବାଦ୍ୟର ଶବ୍ଦ କେବଳ କ’ଣ ମନ୍ଦିର ପରିସରରେ ସୀମିତ ରହିଥାଏ କି? ମନ୍ଦିର ବାହାରକୁ ଏହା କ’ଣ ଯାଏ ନାହିଁ ବୋଲି ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। ତେବେ ଖଣ୍ଡପୀଠ କହିଛନ୍ତି ଯେ, ଏଭଳି ପିଆଇଏଲକୁ ନେଇ କୌଣସି ପ୍ରକାରର ମନୋରଞ୍ଜନ କରାଯିବ ନାହିଁ। ଏହା ବର୍ଷ ବର୍ଷ ଧରି ଚାଲୁଥିବା ଏକ ବିଶ୍ୱାସ ଏବଂ ଅଭ୍ୟାସ। ଏଭଳି ଧାର୍ମିକ ପୂଜାପାଠ ୫-୧୦ ମିନିଟ୍ ପାଇଁ ଚାଲେ ବୋଲି ମାନ୍ୟବର କୋର୍ଟ ଉଲ୍ଲେଖ କରିଛନ୍ତି।

Get real time updates directly on you device, subscribe now.