fbpx

ଗୁଜରାଟ ବିଧାନସଭା ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୩ ଆସନରେ ଲଢୁଛନ୍ତି ୮୩୩  ପ୍ରାର୍ଥୀ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ଟି ଆସନରେ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ପର୍ଯ୍ୟାୟରେ ୬୧ ରାଜନୈତିକ ଦଳର ୮୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହ ଅହମ୍ମଦାବାଦରେ ମତଦାନ କରିବେ। ରବିବାର ସନ୍ଧ୍ୟାରେ ଅହମ୍ମଦାବାଦ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସକାଳେ ଅହମ୍ମଦାବାଦ ସହରର ରାନିପ ଅଞ୍ଚଳରେ ଏକ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ଭୋଟ୍ ଦେବେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଅହମ୍ମଦାବାଦର ନାରଣପୁରାରେ ନଗର ନିଗମ କାର୍ଯ୍ୟାଳୟରେ ସ୍ଥାପିତ ମତଦାନ କେନ୍ଦ୍ରରେ ମତଦାନ କରିବେ।

ଯେଉଁ ଆସନରେ ଆଜି ମତଦାନ ହେଉଛି, ୨୦୧୭ ନିର୍ବାଚନରେ ସେଥିରୁ ୫୧ଟି ଆସନ ଭାରତୀୟ ଜନତା ପାର୍ଟି ଜିତିଥିଲା। କଂଗ୍ରେସ ୩୯ଟି ଜିତିବାରେ ସଫଳ ହୋଇଥିବା ବେଳେ ଅନ୍ୟ ତିନୋଟି ଆସନ ନିର୍ଦ୍ଦଳୀୟଙ୍କ ହାତକୁ ଯାଇଥିଲା। ମଧ୍ୟ ଗୁଜରାଟରେ ବିଜେପି ୩୭ଟି ଆସନ ଏବଂ କଂଗ୍ରେସ ୨୨ଟି ଆସନରେ ବିଜୟ ହାସଲ କରିଥିଲେ। ସେହିପରି ଉତ୍ତର ଗୁଜରାଟରେ କଂଗ୍ରେସ ୧୭ଟି ଆସନ  ଜିତିଥିବା ବେଳେ ବିଜେପି ଖାତାକୁ ଆସିଥିଲା ୧୪ ଆସନ। ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ସରିଥିଲା।

ଗୁଜରାଟର ୮୯ ଆସନ ଉପରେ ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟରେ ୬୩.୩୧ ପ୍ରତିଶତ ମତଦାନ ରହିଥିଲା। ଗୁଜରାଟ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୧୮୨। ଏଥର ମଇଦାନରେ ୨୮୫ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଏବଂ ଆପ୍ ସମସ୍ତ ୯୩ ଆସନରେ ନିର୍ବାଚନ ଲଢିଥିବା ବେଳେ କଂଗ୍ରେସ ୯୦ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ଦ୍ଵିତୀୟ ପର୍ଯ୍ୟାୟରେ କିଛି ଗୁରୁତ୍ଵପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଛି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ପଟେଲଙ୍କ ଘାଟଲୋଡିଆ, ବିଜେପି ନେତା ହାର୍ଦ୍ଦିକ ପଟେଲଙ୍କ ବିରମଗାମ ଏବଂ ଗାନ୍ଧିନଗରର ଦକ୍ଷିଣ ଅଞ୍ଚଳ ସାମିଲ୍। ଏଠାରୁ ବିଜେପି ଅଳ୍ପେଶ  ଠାକୁରଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ଦଳିତ ନେତା ଜିଗ୍ନେଶ ମେଓ୍ଵାଣୀ ବନାସାକାଣ୍ଠା ଜିଲ୍ଲାର ବଡଗାମ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

Get real time updates directly on you device, subscribe now.