fbpx

ଓଡ଼ିଶାରେ H3N2 ଆତଙ୍କ: ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ ରାଜ୍ୟ ସରକାର ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତ ସମେତ ଓଡ଼ିଶାରେ ଏଚ୩ଏନ୨ ଭାଇରସ୍ ବା ଇନଫ୍ଲୁଏଞ୍ଜାର ସଂକ୍ରମଣ ଆତଙ୍କ ଖଳାଇବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ରାଜ୍ୟରେ ଏଚ୩ଏନ୨ ଭୂତାଣୁରେ ୫୯ ଆକଆନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଡାଇରେକ୍ଟର ସଂଘମିତ୍ରା ପତି ଏ ବାବଦରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏଚ୩ଏନ୨କୁ ନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତାଙ୍କ କହିବା ମୁତାବକ , ଏଚ୩ଏନ୨ ସଂକ୍ରମଣରେ କୋଭିଡ ପରି ଲକ୍ଷଣ ଦେଖାଯାଉଛି । ସଂକ୍ରମଣରେ ଜ୍ୱର, କାଶ, ଥଣ୍ଡା, ତଣ୍ଟି ଓ ମୁଣ୍ଡ ବ୍ୟଥା ଓ ହାଲିଆ ଲାଗିଥାଏ । ୩୦ ସେଣ୍ଟରରନମୁନା ପରୀକ୍ଷଣରୁ ଅଧିକାଂଶ ମାମଲା ଏଚ୩ଏନ୨ ବୋଲି ଜଣାପଡିଛି । ସାଧାରଣତଃ ଏହା ଭଲ ହୋଇଯାଏ , ମାତ୍ର ତ୍ୱରିତ୍ୱ ସଂକ୍ରମଣ କରିଥାଏ । ତେବେ ବହୁବିଧ ରୋଗାକ୍ରାନ୍ତ ଥିଲେ ତାହା ଘାତକ ହୋଇପାରେ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।

ଏହାର ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ପ୍ରତିଷେଧକ ଭାବରେ କୋଭିଡ ନିୟମ ମାନନ୍ତୁ । ଲକ୍ଷଣ ଯୁକ୍ତ ହୋଇଥିଲେ ସଂଗରୋଧରେ ରୁହନ୍ତୁ ଓ ମାସ୍କ ପିନ୍ଧନ୍ତୁ । ଏହା ସହିତ ବାରମ୍ବାର ହାତ ଧୁଅନ୍ତୁ ଓ କୋଭିଡ ଟେଷ୍ଟ ମଧ୍ୟ କରାଇ ନିଅନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି ।

ତେବେ ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଇନଫ୍ଲୁଏଞ୍ଜାର ଲକ୍ଷଣ ଅଧିକାଂଶ ରୋଗୀଙ୍କଠାରେ ଏକ ପ୍ରକାରର ଦେଖାଯାଉଛି । ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି । ସେହିପରି ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ପୂର୍ବତନ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଏଚ୩ଏନ୨ ଏକ ପ୍ରକାରର ଇନଫ୍ଲୁଏଞ୍ଜା ଭାଇରସ ଅଟେ । ଏହି ଭାଇରସ୍ ସମୟ ସହିତ ମ୍ୟୁଟେଟ କରିଥାଏ । ସେହିପରି ଏହା ଏକ ନନ ହ୍ୟୁମାନ ଇନଫ୍ଲୁଏଞ୍ଜା ଭାଇରସ ହୋଇଥିବା ବେଳେ ସାଧାରଣ ଭାବେ ଏହା ଘୁଷୁରୀଙ୍କ ଠାରେ ବ୍ୟାପିଥାଏ ଓ ମଣିଷଙ୍କୁ ସଂକ୍ରମିତ କରିଥାଏ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ (ସିଡିସି) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.