fbpx

ଉପକୃତ ହେବେ ୫୫ ହଜାର କର୍ମଚାରୀ: ହାବିଲଦାର, କନଷ୍ଟେବଳ ଓ ସିପାହୀଙ୍କ ଦୈନିକ ଖାଦ୍ୟ ଭତ୍ତା ବୃଦ୍ଧି କଲା ଓଡ଼ିଶା ଗୃହ ବିଭାଗ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଥାନ୍ତି । ସମାଜର ବିଭିନ୍ନ ବର୍ଗର ଲୋକଙ୍କର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନାମାନ ପ୍ରଣୟନ କରିଥାନ୍ତି । କୃଷକ, ଶ୍ରମିକ, ମହିଳା, ଶିଶୁ, ବୃଦ୍ଧଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ଏଥିରେ ବିଶେଷ ଭାବେ ଉପକୃତ ହୋଇଥାନ୍ତି ।

ତେବେ ଏହା ମଧ୍ୟରେ ଓଡ଼ିଶା ପୋଲିସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସୂଚନା ମୁତାବକ, ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ହାବିଲଦାର, କନଷ୍ଟେବଳ ଓ ସିପାହୀଙ୍କ ପାଇଁ ଓଡ଼ିଶା ଗୃହ ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସେମାନଙ୍କର ଦୈନିକ ଖାଦ୍ୟ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ କର୍ମଚାରୀମାନେ କ୍ରମାଗତ ୮ ଘଣ୍ଟା ଓ ତା’ଠାରୁ ଅଧିକ ସମୟ ଡ୍ୟୁଟି କରୁଥିଲେ ସେଥିପାଇଁ ୫୦ ଟଙ୍କା ଭତ୍ତା ପାଉଥିଲେ । ମାତ୍ର ଏବେ ଉକ୍ତ ଭତ୍ତା ୫୦ ଟଙ୍କାରୁ ୭୫ ଟଙ୍କାକୁ ବୃଦ୍ଧି କରାଯାଇଛି ।

ତେବେ ଗୃହ ବିଭାଗର ଏହି ଘୋଷଣା ପରେ ଏବେ ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ହାବିଲଦାର, କନଷ୍ଟେବଳ ଓ ସିପାହୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶାରେ ପୋଲିସ କାର୍ଯ୍ୟରତ ସମସ୍ତ ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ୮ ଘଣ୍ଟାରୁ ଅଧିକ ଡ୍ୟୁଟି ବାବଦରେ ୫୦ ଟଙ୍କା ବଦଳରେ ୭୫ ଟଙ୍କା ଖାଦ୍ୟ ଭତ୍ତା ପାଇବେ । ଏହି ବର୍ଦ୍ଧିତ ଭତ୍ତା ବୃଦ୍ଧି ତ୍ୱରିତ ଭାବେ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ପାଖାପାଖି ୫୫ ହଜାର କର୍ମଚାରୀ ଉପକୃତ ହେବ । ଅନ୍ୟପକ୍ଷରେ ଏହି ଘୋଷଣା ପରେ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହା କର୍ମଚାରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ଉତ୍ସାହିତ କରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.