fbpx

ଅର୍ଥ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ: ‘HAL’କୁ ମିଳିଲା ଭାରତର ୧୪ତମ ‘ମହାରତ୍ନ’ କମ୍ପାନୀର ମାନ୍ୟତା

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରର ସର୍ବବୃହତ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ)କୁ ମିଳିଛି ‘ମହାରତ୍ନ’ କମ୍ପାନୀର ମାନ୍ୟତା । ଏହାଫଳରେ ହାଲ ଭାରତର ୧୪ତମ କମ୍ପାନୀ ଭାବେ ମହାରତ୍ନ ବର୍ଗରେ ସାମିଲ ହୋଇପାରିଛି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ମଞ୍ଜୁରୀ ଦିଆଯାଇଛି । ଏନେଇ ହାଲ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ’ରେ ସାର୍ବଜନିକ ଉଦ୍ୟୋଗ ବିଭାଗର ପୋଷ୍ଟକୁ ରିପୋଷ୍ଟ କରିଛି ।

ହାଲକୁ ୧୪ତମ ମହାରତ୍ନ କେନ୍ଦ୍ରୀୟ ସାର୍ବଜନିକ ଉଦ୍ୟୋଗ କ୍ଷେତ୍ର (ସିପିଏସଇ)ରେ ଅପଗ୍ରେଡ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି । ଏହି ପ୍ରସ୍ତାବକୁ ପୂର୍ବରୁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଅନ୍ତର-ମନ୍ତ୍ରଣାଳୟ କମିଟି (ଆଇଏମସି) ଓ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଶୀର୍ଷ କମିଟି ତରଫରୁ ସୁପାରିଶ କରାଯାଇଥିଲା । ହାଲର ବାର୍ଷିକ କାରବାର ୨୮,୧୬୨ କୋଟି ରହିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୭୫୯୫ କୋଟି ଟଙ୍କା ପ୍ରଫିଟ ରହିଛି । ମହାରତ୍ନ କମ୍ପାନୀଭାରତର ପ୍ରମୁଖ କମ୍ପାନୀ ହୋଇଥିବା ବେଳେ ଏହି ମାନ୍ୟତା ମିଳିବା ଫଳରେ କମ୍ପାନୀମାନଙ୍କୁ ସରକାରଙ୍କ ତରଫରୁ କିଛି ନିଷ୍ପତ୍ତି ନେବାର ଅଧିକାର ମିଳିଥାଏ । ଏହି କମ୍ପାନୀମାନେ ଦେଶର ସବୁଠାରୁ ପ୍ରଭାବଶାଳୀ ଓ ସାର୍ବଜନିକ କ୍ଷେତ୍ରରେ ଆର୍ଥିକ କ୍ଷେତ୍ରରେ ମଜବୁତ ହୋଇଥାନ୍ତି । କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ରର ଉଦ୍ୟୋଗକୁ ମହାରତ୍ନ, ନବରତ୍ନ ଓ ମିନିରତ୍ନ ଆଦି ୩ଟି ବର୍ଗରେ ବିଭକ୍ତ କରାଯାଇଥାଏ । ଏହା ପୂର୍ବରୁ ଏନଟିପିସି, ଓଏନଜିସି, ସେଲ, ଆଇସିଏଲ, ସିଆଇଏଲ, ଭେଲ, ଗେଲ, ବିପିସିଏଲ, ପାୱରଗ୍ରୀଡ, ଏଚପିସିଏଲ, ପିଏଫସି, ଆରଇସି, ଅଏଲ ଆଦି ୧୩ଟିକମ୍ପାନୀମାନଙ୍କୁ ମହାରତ୍ନ ମାନ୍ୟତା ମିଳିଥିଲା ।

Get real time updates directly on you device, subscribe now.