୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ବ୍ୟବହାର କରୁଥିବେ 5-ଜି ସେବା: ଜିଏସଏମଏ ରିପୋର୍ଟ

ନୂଆଦିଲ୍ଲୀ : 5-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା 5-ଜି ସେବା ବ୍ୟବହାର କରୁଥିବେ ବୋଲି ଜିଏସଏମଏ ରିପୋର୍ଟରୁ ଜଣାପଡ଼ିଛି । ବ୍ୟାପକ ସରକାରୀ ପ୍ରୟାସ, ଭିତ୍ତିଭୂମିରେ ନିବେଶ ଏବଂ ନୀତିଗତ ସଂସ୍କାର 5-ଜିର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବ। ଏହି ପରିବର୍ତ୍ତନ ଭାରତକୁ ଏକ ଡିଜିଟାଲ-ପ୍ରଥମ ରାଷ୍ଟ୍ରରେ ପରିଣତ କରିବା ସହିତ ମୋବାଇଲ ପ୍ରଯୁକ୍ତିକୁ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଓ ପ୍ରଶାସନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ବ୍ୟବହାର କରାଯାଇପାରିବ।

5-ଜି ପ୍ରଯୁକ୍ତି ୨୦୨୩ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ପ୍ରାୟ ୩୬.୪ ଲକ୍ଷ କୋଟି ଟଙ୍କାର ଯୋଗଦାନ ଦେବ ଏବଂ ଏହା ୨୦୨୪୦ ସୁଦ୍ଧା ଦେଶର ଜିଡିପିରେ ୦.୬% ପ୍ରତିଶତରୁ ଅଧିକ ଅଂଶ ହାସଲ କରିବ। ଉତ୍ପାଦନ, ଖୁଚୁରା ବ୍ୟବସାୟ, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡିକ 5-ଜି ଦ୍ୱାରା ଉପକୃତ ହେବେ, ଯାହା ନୂତନ ପରିଚାଳନା ମଡେଲ, ଉନ୍ନତ ଦକ୍ଷତା ଓ ସ୍ମାର୍ଟ ସିଟି ଏବଂ ଡିଜିଟାଲ ଗଭର୍ଣ୍ଣାନ୍ସ ଭଳି ଅଭିନବ ସେବାକୁ ସକ୍ଷମ କରିବ।

5-ଜିର ଦ୍ରୁତ କାର୍ଯ୍ୟକାରିତା ପାଇଁ ଭାରତ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱଦେଶୀ ଟେଲିକମ୍ ଷ୍ଟେକ୍ ପାଇଁ ଭାରତରାନ୍ ପ୍ରକଳ୍ପ ଅଧୀନରେ ଭାରତ ନିଜର ଓଆରଏଏନ୍ ଅନୁପାଳନକାରୀ 5-ଜି ଉପକରଣ ସମେତ 4-ଜି/5-ଜି ଟେଲିକମ୍ ଷ୍ଟେକକୁ ବିକଶିତ କରିଛି। ଏହି ସ୍ଥାନୀୟ ଭିତ୍ତିଭୂମି ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହୋଇଥାଏ, ଯାହା ଏକ ବିଶ୍ୱ ଟେଲିକମ୍ ଉତ୍ପାଦନ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିଥାଏ । ସରକାରୀ ଅନୁଦାନରେ ୮ଟି ପ୍ରମୁଖ ଗବେଷଣା ଅନୁଷ୍ଠାନ ଗବେଷଣା ଓ ଉଦ୍ଭାବନକୁ ସମର୍ଥନ କରିବା ପାଇଁ ଏକ ସ୍ୱଦେଶୀ, ସମ୍ପୂର୍ଣ୍ଣ ପ୍ରୋଗ୍ରାମେବଲ୍ 5-ଜି ଟେଷ୍ଟ ବେଡ୍ ତିଆରି କରିଛନ୍ତି। ଏହି ଭିତ୍ତିଭୂମି କମ୍ପାନୀମାନଙ୍କୁ ଭବିଷ୍ୟତର 5-ଜି ଏବଂ 6-ଜି ଅଗ୍ରଗତିକୁ ସମର୍ଥନ କରିବା ସହିତ ସେମାନଙ୍କର ପ୍ରୋଟୋଟାଇପ୍ ଏବଂ ସେବାଗୁଡିକୁ ବୈଧ କରିବାକୁ ଅନୁମତି ଦିଏ।

ଶିକ୍ଷା, ସ୍ବାସ୍ଥ୍ୟସେବା ଓ ସହରାଞ୍ଚଳ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରରେ 5-ଜି ପ୍ରୟୋଗ ଉପରେ ଗୁରୁତ୍ବ ଦେବା ପାଇଁ ସରକାର ୧୦୦ କୋଟି ଟଙ୍କାର ବ୍ୟୟବରାଦ ସହ ସମଗ୍ର ଦେଶରେ ୧୦୦ଟି ଲ୍ୟାବ୍ ମଞ୍ଜୁର କରିଛନ୍ତି।

ଡିଜିଟାଲ କମ୍ୟୁନିକେସନ୍ ଇନୋଭେସନ୍ ସ୍କୋୟାର (ଡିସିଆଇଏସ୍) ଏବଂ ଟେଲିକମ୍ ଟେକ୍ନୋଲୋଜି ଡେଭଲପମେଣ୍ଟ ଫଣ୍ଡ (ଟିଟିଡିଏଫ୍) ଯୋଜନା ମିଳିତ ଭାବେ ଦୂରସଞ୍ଚାର ଗବେଷଣା ଓ ବିକାଶରେ ଷ୍ଟାର୍ଟଅପ୍ ଏବଂ ଏମଏସଏମଇଗୁଡ଼ିକୁ ସମର୍ଥନ କରିଥାଏ, ସ୍ୱଦେଶୀ ୫ଜି ସମାଧାନ ବିକଶିତ କରିବା ପାଇଁ ପାଣ୍ଠି ଏବଂ ସମ୍ବଳ ପ୍ରଦାନ କରିଥାଏ। ୨୦୨୨ରେ ଆରମ୍ଭ ହୋଇଥିବା ଟିଟିଡିଏଫ ଗ୍ରାମୀଣ ଯୋଗାଯୋଗ ପ୍ରଯୁକ୍ତି ଉଦ୍ଭାବନ ପାଇଁ ବାର୍ଷିକ ୫୦୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥାଏ। ସରକାର ସ୍ପେକ୍ଟ୍ରମ୍ ମୂଲ୍ୟ ହ୍ରାସ କରିଛନ୍ତି, ରାଇଟ୍ ଅଫ୍ ୱେ (ଆରଓଡବ୍ଲ୍ୟୁ) ଅନୁମୋଦନକୁ ସୁବ୍ୟବସ୍ଥିତ କରିଛନ୍ତି ଏବଂ ଭିତ୍ତିଭୂମି ନିୟୋଜନକୁ ସରଳ କରି ଗତିଶକ୍ତି ସଂଚାର ପୋର୍ଟାଲ୍ ପ୍ରତିଷ୍ଠା କରିଛନ୍ତି। ଏହି ନୀତିଗତ ପରିବେଶ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦ୍ରୁତ ଏବଂ ଅଧିକ ଆର୍ଥିକ ନେଟୱାର୍କ ସମ୍ପ୍ରସାରଣକୁ ପ୍ରୋତ୍ସାହିତ କରେ ।

5-ଜି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବେଳେ ନୂତନ ଜ୍ଞାନକୌଶଳକୁ ବାଧାମୁକ୍ତ, ନିରବଚ୍ଛିନ୍ନ ଏବଂ ସମାବୋ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଭାରତ କେତେକ ପ୍ରମୁଖ ଆହ୍ୱାନର ମଧ୍ୟ ମୁକାବିଲା କରୁଛି। ବିଶେଷକରି ଗ୍ରାମୀଣ ଜନସଂଖ୍ୟା ମଧ୍ୟରେ ବ୍ୟବହାର ବ୍ୟବଧାନ ଏବଂ ଉଚ୍ଚ କ୍ଷମତା ବିଶିଷ୍ଟ ବ୍ୟାକହଲ୍‌ ଏବଂ କ୍ଷୁଦ୍ର-ସେଲ୍ ଭିତ୍ତିଭୂମିରେ ନିରନ୍ତର ପୁଞ୍ଜିନିବେଶର ଆବଶ୍ୟକତା ହେଉଛି 5-ଜିର ପ୍ରଭାବକୁ ସର୍ବାଧିକ କରିବା ପାଇଁ ଉଦ୍ଦିଷ୍ଟ କ୍ଷେତ୍ର । ‘5-ଜି ଇଣ୍ଟେଲିଜେଣ୍ଟ ଭିଲେଜ୍‌’ ଯୋଜନାରେ ଗ୍ରାମୀଣ, ଉପାନ୍ତ ଓ ବଞ୍ଚିତ ଅଞ୍ଚଳରେ 5-ଜି କଭରେଜ୍‌ ଯୋଗାଇ ଦିଆଯାଉଛି। ଏହା ସ୍ଥାନୀୟ ସମୁଦାୟକୁ ଡିଜିଟାଲ ସେବା ଯୋଗାଇ ଦେବା ସହ କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପ୍ରଶାସନରେ ସୁଧାର ଆଣିବ। ବର୍ତ୍ତମାନ ୪.୧୫ ଲକ୍ଷରୁ ଅଧିକ 5-ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ଉଲ୍ଲେଖନୀୟ, କିନ୍ତୁ 5-ଜି ବେସ୍ ଷ୍ଟେସନ୍ (ବିଟିଏସ୍)ର ଘନତା ବୃଦ୍ଧି ବିଶେଷକରି ଜନବହୁଳ ସହରାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ କଭରେଜ୍, ସ୍ପିଡ୍ ଏବଂ ନେଟୱାର୍କ ବିଶ୍ୱସନୀୟତା ବୃଦ୍ଧି କରିବ ।

ନିୟମିତ ଭାବରେ 5-ଜି ଆବଶ୍ୟକତା ଆକଳନ କରିବା ସହିତ ଦକ୍ଷ ଏବଂ ସୁଲଭ ଭାବରେ ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯାଇଛି। 5-ଜି ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ପାଇଁ ନୀତିକୁ ସୁବ୍ୟବସ୍ଥିତ କରାଯାଉଛି । 5-ଜିର ବୃଦ୍ଧି ସହିତ, ଦୃଢ଼ ସାଇବର ସୁରକ୍ଷା ପଦକ୍ଷେପର ଆବଶ୍ୟକତା ତୀବ୍ର ହେବ। 5-ଜି ନେଟୱାର୍କରେ ଉପଭୋକ୍ତାଙ୍କ ଡାଟା ଏବଂ ଯୋଗାଯୋଗକୁ ସୁରକ୍ଷିତ ରଖିବା ପାଇଁ ଶକ୍ତିଶାଳୀ ଏନକ୍ରିପ୍ସନ୍ ଟେକ୍ନୋଲୋଜି (ଯେପରିକି କ୍ୱାଣ୍ଟମ୍ ଏନକ୍ରିପ୍ସନ୍ ଆଲଗୋରିଦମ୍ ଇନିସିଏଟିଭ୍) ଏବଂ ନୀତି ବିକାଶ ପାଇଁ ନିବେଶ କରାଯିବ ।

5-ଜି ଓ 6-ଜି ଟେକ୍ନୋଲୋଜିରେ ଗବେଷଣା ଓ ବିକାଶକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଟେଲିକମ୍ ଟେକ୍ନୋଲୋଜି ଡେଭଲପମେଣ୍ଟ ଫଣ୍ଡ (ଟିଟିଡିଏଫ୍) ଭଳି ପଦକ୍ଷେପକୁ ବିସ୍ତାର କରିବା ସହିତ ଦୂରସଞ୍ଚାର କ୍ଷେତ୍ରରେ ନିୟୋଜିତ ଷ୍ଟାର୍ଟଅପ୍ ଏବଂ ଏମଏସଏମଇଗୁଡ଼ିକୁ ସମର୍ଥନ କରିବ। ସେହିପରି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବିଶ୍ୱ ବଜାରରେ ପ୍ରବେଶ କରାଇବାରେ ଏମଏସଏମଇ ସାର୍ଟିଫିକେସନ୍ ସହାୟତା ଘରୋଇ ଉତ୍ପାଦନ ଏବଂ 5-ଜି ସମ୍ବନ୍ଧୀୟ ଉତ୍ପାଦର ରପ୍ତାନି ସମ୍ଭାବନା ବୃଦ୍ଧି କରିବ।

ଉନ୍ନତ ଆଇଓଟି ଏକୀକରଣ, ଉନ୍ନତ ଟ୍ରାଫିକ୍ ପରିଚାଳନା ଏବଂ ସ୍ମାର୍ଟ ୟୁଟିଲିଟି ସହିତ ସ୍ମାର୍ଟ ସିଟି ସୃଷ୍ଟି କରିବାରେ 5ଜିର ସାମର୍ଥ୍ୟକୁ ଉପଯୋଗ କରାଯାଇପାରିବ। ବିଶେଷ କରି ଦୁର୍ଗମ ଅଞ୍ଚଳରେ 5-ଜି ଦ୍ୱାରା ଟେଲିମେଡିସିନ ଏବଂ ଡିଜିଟାଲ ଲର୍ଣ୍ଣିଂ ସଲ୍ୟୁସନ, ରିମୋଟ୍ ଡାଇଗ୍ନୋଷ୍ଟିକ୍, ଅସ୍ତ୍ରୋପଚାର ଏବଂ ପରାମର୍ଶ ସେବାରେ ସୁଧାର ଆସିବ । ସ୍ମାର୍ଟ ପୁଲିସିଂ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରଶାସନ ପାଇଁ 5-ଜିର ବ୍ୟବହାର ବୃଦ୍ଧି ହେଉଛି । 5-ଜି ସକ୍ଷମ ରିଅଲ-ଟାଇମ୍ ଡାଟା ବିଶ୍ଳେଷଣ ନିଷ୍ପତ୍ତି ନେବା, ସାର୍ବଜନୀନ ନିରାପତ୍ତା ଏବଂ ସମ୍ବଳ ପରିଚାଳନାରେ ଉନ୍ନତି ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି ।

6-ଜି ସେଣ୍ଟର ଅଫ୍ ଏକ୍ସଲେନ୍ସ ଭଳି ପଦକ୍ଷେପ ଏବଂ 6-ଜି ପ୍ରଯୁକ୍ତିର ତ୍ୱରାନ୍ୱିତ ଗବେଷଣା ପାଇଁ ପ୍ରସ୍ତାବ ସହିତ 6-ଜି ଗବେଷଣା ଉପରେ ଭାରତର ଫୋକସ୍ ଜାରି ରହିବ। 5-ଜି ସର୍ବବ୍ୟାପୀ ହେବା ବେଳକୁ ଭାରତ 6-ଜିର ବିକାଶ ଓ ନିୟୋଜନର ନେତୃତ୍ୱ ନେବା ପାଇଁ ଭଲ ସ୍ଥିତିରେ ରହିଥିବ । 5-ଜି ଯୁଗରେ ସୁରକ୍ଷିତ ଯୋଗାଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ସୁରକ୍ଷିତ ଯୋଗାଯୋଗ ପାଇଁ କ୍ୱାଣ୍ଟମ ଏନକ୍ରିପ୍ସନ୍ ଉପରେ ଧ୍ୟାନ ଦେବା ଭାରତକୁ ଦୂରସଞ୍ଚାର ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ । କ୍ୱାଣ୍ଟମ ଏନକ୍ରିପ୍ସନ୍ ଆଲଗୋରିଦମ୍ ଉପରେ ଗବେଷଣା ଭାରତକୁ ବିଶ୍ୱ ଟେଲିକମ୍ ଇକୋସିଷ୍ଟମରେ ଏକ ପ୍ରତିଯୋଗିତାମୂଳକ ଅଗ୍ରଣୀ ପ୍ରଦାନ କରିବ।

ଦୈନନ୍ଦିନ ଜୀବନରେ 5-ଜି ସୁବିଧା, ବ୍ୟବହାର ଏବଂ ଭବିଷ୍ୟତ ପ୍ରଭାବ ବିଷୟରେ ସଚେତନତା ବୃଦ୍ଧି ପାଇଁ ଜାତୀୟ ଅଭିଯାନ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ଗୋପନୀୟତା, ଡାଟା ନିରାପତ୍ତା ଏବଂ ଉପଲବ୍ଧତା ବିଷୟରେ ରହିଥିବା ଚିନ୍ତାର ସମାଧାନ 5-ଜି ବାଧାମୁକ୍ତ ଗ୍ରହଣୀୟତାକୁ ସୁନିଶ୍ଚିତ କରିବ।

ସମାଜର ସମସ୍ତ କ୍ଷେତ୍ର, ବିଶେଷକରି ଗ୍ରାମୀଣ ଜନସଂଖ୍ୟା, ମହିଳା ଏବଂ ଅବହେଳିତ ସମୁଦାୟକୁ 5-ଜି ସୁବିଧା ପ୍ରଦାନ କରିବା ସୁନିଶ୍ଚିତ କରି ଡିଜିଟାଲ ବିଭାଜନକୁ ଦୂର କରିବା ପାଇଁ ପ୍ରୟାସ ଭାରତକୁ ଏ କ୍ଷେତ୍ରକୁ ଅଗ୍ରଣୀ କରାଇବ । ଇଣ୍ଡିଆ 5-ଜି ଆଲାଏନ୍ସ ଭଳି ପଦକ୍ଷେପ, ଏମଏସଏମଇ ଓ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଯୋଗୁ ଭାରତ ଏହି କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହାସଲ କରୁଛି ।

5-ଜି ଟେକ୍ନୋଲୋଜି ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗର ଫାଇଦା ଉଠାଇବା ପାଇଁ ଭାରତ ଭଲ ସ୍ଥିତିରେ ଅଛି । ଭିତ୍ତିଭୂମିର ସମ୍ପ୍ରସାରଣ, ସ୍ୱଦେଶୀ ଗବେଷଣା ଓ ବିକାଶକୁ ସମର୍ଥନ, ସହଯୋଗକୁ ପ୍ରୋତ୍ସାହନ କରିବା ଏବଂ 5ଜି ସେବାରେ ସମାବେଶିତା ସୁନିଶ୍ଚିତ କରି ଭାରତ ଦୂରସଞ୍ଚାର କ୍ଷେତ୍ରରେ ଡିଜିଟାଲ ବିପ୍ଳବର ନେତୃତ୍ୱ ନେବା ଜାରି ରଖିପାରିବ । ଦେଶ 6-ଜି ଆଡକୁ ଅଗ୍ରସର ହେଉଥିବା ବେଳେ ଏହି ପଦକ୍ଷେପ ଦ୍ୱାରା ଦୂରସଞ୍ଚାର କ୍ଷେତ୍ରରେ ଭାରତ ପାଇଁ ନିରନ୍ତର ଅଭିବୃଦ୍ଧି, ଉଦ୍ଭାବନ ଏବଂ ବିଶ୍ୱସ୍ତରୀୟ ନେତୃତ୍ୱ ସୁନିଶ୍ଚିତ କରିବ।