fbpx

ନିଜର ପୁରୁଣା ଫର୍ମକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଖେଳାଳିଙ୍କ ଦଳରୁ ହୋଇପାରେ ଛୁଟି !

Advertisement

ନୂଆଦିଲ୍ଲୀ: ୨୦୧୯ରେ ଭାରତର ଷ୍ଟାର ଅଲରାଉଣ୍ଡର ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ ପିଠି ଯନ୍ତ୍ରଣାରୁ ସେ ସୁସ୍ଥ ହୋଇପାରିନଥିଲେ। ବିଶ୍ଵ କପ୍ ୨୦୧୯ରେ ହାର୍ଦ୍ଦିକ ଏହି ସମସ୍ୟା ସହିତ ଖେଳୁଥିବା ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ଜାଣିଥିଲେ ଯେ, ଯଦି ତାଙ୍କୁ ଦୀର୍ଘ ସମୟ ପାଇଁ ଭାରତୀୟ ଦଳରେ ସ୍ଥାନ ବଜାୟ ରଖିବାର ଅଛି ତେବେ ଏହାର ଚିକିତ୍ସା ଜରୁରୀ। ପିଠିର ସର୍ଜରୀ କରିବା ପରେ ସେ କିଛି ମାସ ରିହାବରେ ରହିଥିଲେ। ହେଲେ ଏହି ଆହତଜନିତ ସମସ୍ୟା ହାର୍ଦ୍ଦିକଙ୍କ ପିଛା ଛାଡିନଥିଲା। ଆଇପିଏଲ ୨୦୨୦ ଏବଂ ୨୦୨୧ରେ ହାର୍ଦ୍ଦିକ ଅଧିକ ବୋଲିଂ ମଧ୍ୟ କରିନଥିଲେ। ଟି-୨୦ ବିଶ୍ଵ କପରେ ଦଳରେ ମଧ୍ୟ ଚୟନ ହେଲେ ମାତ୍ର ମ୍ୟାଚରେ ବୋଲିଂ କରିନଥିଲେ।

ଭାରତର ଟି-୨୦ ବିଶ୍ଵ କପରେ ନିରାଶଜନକ ପ୍ରଦର୍ଶନ ପରେ ହାର୍ଦ୍ଦିକଙ୍କ ଚୟନ ଉପରେ ପ୍ରଶ୍ନ ଉଠିଥିଲା। କ୍ରିକେଟ୍ ବିଶେଷଜ୍ଞ ମତରେ ହାର୍ଦ୍ଦିକ ଅଲରାଉଣ୍ଡର ହିସାବରେ ଦଳରେ ସ୍ଥାନ ପାଇ ପାରିବେ ମାତ୍ର ଯଦି ସେ ବ୍ୟାଟସମ୍ୟାନ ହିସାବରେ ଖେଳିବାକୁ ଚାହିଁବେ ତେବେ ଦଳରେ ତାଙ୍କଠୁ ଅନେକ ଭଲ ଖେଳାଳି ଅଛନ୍ତି। ଏହା ପରଠୁ ସଭିଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଉପରେ ଥିଲା। ଆଇପିଏଲ ୨୦୨୨ର ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ଛାଡିଥିଲା। ଗୁଜରାଟ ଟାଟଇନ୍ସ ଏହି ଅଲରାଉଣ୍ଡରକୁ କେବଳ ନିଜ ଦଳରେ ସାମିଲ୍ କରିନଥିଲା ବରଂ ଅଧିନାୟକ ଦାୟିତ୍ଵ ମଧ୍ୟ ଦେଇଥିଲା।

ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଜାଣିଥିଲେ ଯେ, ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିବାର ଅଛି ତେବେ ତାଙ୍କୁ ଯେମିତି ହେଲେ ଆଇପିଏଲରେ ପ୍ରଦର୍ଶନ କରିବାକୁ ପଡିବ। ଗୋଟିଏ ପଟେ ଭାରତୀୟ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଭେଙ୍କଟେଶ ଆୟର ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ପରି ଅନେକ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ସେପଟେ ପ୍ରଶଂସକ ଏହି ଚିନ୍ତାରେ ଥିଲେ ଯେ, ହାର୍ଦ୍ଦିକ କଣ ଅଧିନାୟକ ଭାର ସମ୍ଭାଳିବା ସହ ନିଜର ପ୍ରଦର୍ଶନ କରି ପାରିବେ।

ହେଲେ ହାର୍ଦ୍ଦିକ ଏ ଯାଏଁ କେବଳ ଗୁଜରାଟ ଟାଇଟନ୍ସକୁ ଭଲ ନେତୃତ୍ଵ ଦେଇନାହାନ୍ତି ବରଂ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ ତିନି ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ଆଇପିଏଲ ୨୦୨୨ରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟସମ୍ୟାନଙ୍କ ତାଲିକାରେ ୨୨୮ ରନ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ସେପଟେ ଘଣ୍ଟା ପ୍ରତି ୧୪୦ କିମି ବେଗରେ ବୋଲିଂ କରି ସଭିଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ଫିଲ୍ଡିଂରେ ଅବିଶ୍ଵସନୀୟ ପ୍ରଦର୍ଶନ କରିଛନ୍ତି।

୨୮ ବର୍ଷୀୟ ଏହି ଅଲରାଉଣ୍ଡର ଖେଳାଳି ନିଜର ପୁରୁଣା ଫର୍ମକୁ ଫେରି ଆସିଛି ଏବଂ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ। ହାର୍ଦ୍ଦିକଙ୍କ ଦଳକୁ ଫେରିବାର ଅର୍ଥ କିଛି ଖେଳାଳିଙ୍କ ଦଳରୁ ଛୁଟି, ଯାହାଙ୍କୁ ଦଳ ବଦଳ ଖେଳାଳି ଭାବେ ସୁଯୋଗ ଦେଇଥିଲା। ଏମିତିରେ ପ୍ରଥମ ନାମ ଭେଙ୍କଟେଶ ଆୟରଙ୍କ ରହିଛି। ସେ ଘରୋଇ ଟି-୨୦ ସିରିଜରେ ଭାରତ ତରଫରୁ ଫିନିସରର ଭୂମିକା ଗ୍ରହଣ କରିଥିଲେ। ଆଉ କିଛି ଓଭର ମଧ୍ୟ ବୋଲିଂ କରିଛନ୍ତି। ହେଲେ ହାର୍ଦ୍ଦିକଙ୍କ ବର୍ତ୍ତମାନର ପ୍ରଦର୍ଶନ ଆଗରେ ସେ ତିଷ୍ଠି ପାରିବେ ନାହିଁ।

ଯଦି କିଛି ଅଘଟଣ ନଘଟେ ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଚୟନ ହେବା ନିଶ୍ଚିତ। ଏହା ହୋଇପାରେ ଚୟନକର୍ତ୍ତା ଭେଙ୍କଟେଶ ଆୟରଙ୍କୁ ହାର୍ଦ୍ଦିକଙ୍କ ବଦଳ ଖେଳାଳି ଭାବେ ରଖି ପାରନ୍ତି।

Get real time updates directly on you device, subscribe now.