fbpx

Ind vs Ban; ଆହତ ହୋଇ ପାଭିଲିୟନ ଫେରିଗଲେ ହାର୍ଦ୍ଦିକ: ଉପ-ଅଧିନାୟକ ବିନା ଖେଳୁଛି ରୋହିତ ସେନା

ପୁଣେ: ବାଂଲାଦେଶ ବିପକ୍ଷ ମ୍ୟାଚରେ ୱିକେଟ ପାଇଁ ସଂଘର୍ଷ କରୁଛି ଟିମ ଇଣ୍ଡିଆ । ବାଂଲାଦେଶ ବ୍ୟାଟରଙ୍କ ବିପକ୍ଷରେ ଭାରତୀୟ ବୋଲର ଫେଲ ମାରୁଥିବା ଦେଖାଯାଉଛି । ତେବେ ଏହା ଭିତରେ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପାଭିଲିୟନ ଫେରିଛନ୍ତି । ଲିଟନ ଦାସଙ୍କ ଏକ ଶଟ୍ କୁ ରୋକିବା ପାଇଁ ଚେଷ୍ଟା କରିବା ବେଳେ ହାର୍ଦ୍ଦିକଙ୍କ ଗୋଡ଼ରେ ଆଘାତ ଲାଗିଛି । ଯାହା ଫଳରେ ସେ ମଇଦାନ ଛାଡ଼ି ପାଭିଲିୟନକୁ ଫେରି ଯାଇଛନ୍ତି । ତାଙ୍କ ସ୍ଥାନରେ ଓଭରର ବାକି ୩ଟି ବଲ ବିରାଟ କୋହଲି ବୋଲିଂ କରିଛନ୍ତି ।

ବିଶ୍ୱକପର ଚତୁର୍ଥ ମ୍ୟାଚରେ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ଗୋଟିଏ ପଟେ ବାଂଲାଦେଶୀ ବ୍ୟାଟର ଭାରତର ବୋଲିଂ ଆଟାକକୁ ଚକମା ଦେଇ ପାୱାରପ୍ଲେରେ ଦମଦାର ଆରମ୍ଭ କରାଇଛନ୍ତି । ଏହାପରେ ଦଳର ନବମ ଓଭରରେ ଟିମ ଇଣ୍ଡିଆକୁ ଆଉ ଏକ ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ପଡ଼ିଆରୁ ବାହାରି ଯାଇଛନ୍ତି । ଭାରତ ତରଫରୁ ନବମ ଓଭର ନେଇ ଆସିଥିଲେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ମାତ୍ର ୩ଟି ବଲ କରିଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ତୃତୀୟ ବଲରେ ବାଂଲାଦେଶୀ ବ୍ୟାଟର ଲିଟନ୍ ଦାସ ଏକ ସିଧା ଶଟ୍ ଖେଳିଥିଲେ । ଏହାକୁ ପାଦରେ ରୋକିବାକୁ ଚେଷ୍ଟା କରିବା ବେଳେ ଶରୀରର ସନ୍ତୁଳନ ହରାଇଛନ୍ତି ହାର୍ଦ୍ଦିକ । ଫଳରେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି । ଏହାପରେ ଟିମର ଫିଜିଓ ତାଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ସେ ସଠିକ ଭାବରେ ଚାଲି ପାରିନାହାନ୍ତି କି ଦୌଡ଼ିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ତେବେ ଏହାପରେ ହାର୍ଦ୍ଦିକ ପଡ଼ିଆ ଛାଡ଼ି ପାଭିଲିୟନ ଫେରି ଯାଇଛନ୍ତି ।

ହାର୍ଦ୍ଦିକ ପାଭିଲିୟନ ଫେରିଯିବା ପରେ ଓଭରର ବାକି ୩ଟି ବଲ ପକାଇବା ପାଇଁ କୋହଲିଙ୍କୁ ବଲ୍ ଦେଇଥିଲେ ରୋହିତ । ଏହି ମୁହୂର୍ତ୍ତରେ ସାରା ଗ୍ରାଉଣ୍ଡ ବିରାଟଙ୍କୁ ଚିଅର୍ କରିଛି । ନବମ ଓଭରର ୩ଟି ବଳରେ ହାର୍ଦ୍ଦିକ ୮ ରନ୍ ଦେଇଥିବା ବେଳେ କୋହଲି ବାକି ୩ଟି ବଲରେ ମାତ୍ର ୨ ରନ୍ ଦେଇଛନ୍ତି । ତେବେ ବର୍ତ୍ତମାନ ହାର୍ଦ୍ଦିକଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତା ପାଲଟିଛି । ଭାରତୀୟ ଦଳରେ ହାର୍ଦ୍ଦିକ ବର୍ତ୍ତମାନ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଫିନିଶରର ଭୂମିକା ତୁଲାଉଛନ୍ତି । ତେଣୁ ଖୁବଶୀଘ୍ର ସୁସ୍ଥ ହୋଇ ହାର୍ଦ୍ଦିକ ପଡ଼ିଆକୁ ଫେରିବେ ବୋଲି ଆଶା ରଖିଛନ୍ତି ଟିମ ଇଣ୍ଡିଆ ସହ କୋଟି କୋଟି କ୍ରିକେଟପ୍ରେମୀ ।

Get real time updates directly on you device, subscribe now.