fbpx

୨୦୨୨ ବିଧାନସଭା ନିର୍ବାଚନରେ ହରିଶ ରାୱତ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା!

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟର ମୁଖ୍ୟମାନେ ବର୍ତ୍ତମାନ ବଦଳିବାରେ ଲାଗିଛନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଉତ୍ତରାଖଣ୍ଡ । ଏହି ରାଜ୍ୟରେ କମ୍ ସମୟ ମଧ୍ୟରେ ବେଶି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ୨୦୨୨ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ବୋଲି କୁହାଯାଉଛି ।

କିଛିଦିନ ପୂର୍ବରୁ କଂଗ୍ରେସର ନବନିଯୁକ୍ତ ପ୍ରଦେଶ ଅଧ୍ୟକ୍ଷ ଗଣେଶ ଗୋଦିୟାଲ କହିଥିଲେ ଯେ, ହରିଶଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ କରି କଂଗ୍ରେସ ରଣାଙ୍ଗନକୁ ଓହ୍ଲାଇବ । ମାତ୍ର ନିର୍ବାଚନ ବିଜୟ ପରେ କିଏ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବ, ସେନେଇ ପରେ ନିଷ୍ପତ୍ତି କରାଯିବ । ତେବେ ବର୍ତ୍ତମାନ ଦଳର ପ୍ରଭାରୀ ଦେବେନ୍ଦ୍ର ଯାଦବ କହିଛନ୍ତି ଯେ, ହରିଶ କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ଦଳର ଫୋକସ୍ ଆଗାମୀ ବିଧାନସଭା ନିର୍ବାଚନ ବିଜୟ ଉପରେ ରହିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ, ତାହା ଦଳ ନିର୍ଦ୍ଧାରଣ କରିବ ବୋଲି ସେ କହିଥିଲେ । ଏହା ପୂର୍ବରୁ କଂଗ୍ରେସ ମହାସଚିବ ହରିଶଙ୍କୁ ରାଜ୍ୟ ନିର୍ବାଚନ ପାଇଁ ତିଆରି କରାଯାଇଥିବା କ୍ୟାମ୍ପେନ୍ କମିଟିର ନେତୃତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.