fbpx

ଇ-ନାମ ପ୍ଲାଟଫର୍ମରେ କୃଷକଙ୍କୁ ସାମିଲ କର: ଯୋଗାଣ ମନ୍ତ୍ରୀ

ଭଞ୍ଜନଗର(ଓଡ଼ିଶା ଭାସ୍କର): ଭଞ୍ଜନଗର ସହରରେ ଆରମ୍ଭ ହୋଇଛି ବଳଭଦ୍ର ଆରୁଖ କୃଷକ ବଜାର । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫ ଏକର ଜାଗାରେ ପ୍ରାୟ ୧୦କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଳଭଦ୍ର କୃଷକ ବଜାର ଉଦଘାଟିତ ହୋଇଯାଇଛି । ଉଦଘାଟକ ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଇ-ନାମ ଜରିଆରେ ବଜାର ସୃଷ୍ଟି କରି କୃଷକଙ୍କ ଉତ୍ପାଦିତ ଦ୍ରବ୍ୟକୁ ଠିକ ଦରରେ ବିକ୍ରି କରିବାର ସୁଯୋଗ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

ଗୋଟିଏ ସ୍ଥାନରେ ପନିପରିବା, ମାଛ, ମାଂସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ କୃଷକମାନେ ଖୁବ୍ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି । ବଜାରରେ ବ୍ୟବସାୟୀଙ୍କ ପାଇଁ ସାମ୍ନା ପଟରେ ୩୯ଟି ଦୋକାନ ଗୃହ, ପଛପଟେ ୨୯ଟି ଦୋକାନ ଗୃହ, ଆମିଷ ବଜାର, ପିଣ୍ଡି ଓ ଗୋଦାମ ଗୃହର ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ସିଲିଙ୍ଗ ପ୍ଲାଣ୍ଟ ମଧ୍ୟ କରାଯିବା ପାଇଁ ଯୋଜନା ରହିଛି । ଏଥିସହ ଆଗାମୀ ଦିନରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ଘୋଷଣା କରିଛନ୍ତି । ଏହି ଅବସରରେ କରୋନା ସମୟରେ ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ ଯୋଗାଇଥିଲେ ସେହି ଯୋଦ୍ଧା ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତା ଏବଂ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସାଧାରଣ ସଭାରେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆରଏମସି ସମ୍ପାଦକ ଦୀନବନ୍ଧୁ ଗୌଡ଼ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପ୍ରେସକ୍ଲବ ସଭାପତି ଲୋକନାଥ କର ସଂଯୋଜନା କରିଥିଲେ ।

Get real time updates directly on you device, subscribe now.