ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ବୟାନକୁ ନେଇ କୁମାର ବିଶ୍ଵାସଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ଅଦାଲତ କୁମାର ବିଶ୍ଵାସଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି। ତାଙ୍କ ଉପରେ ପଞ୍ଜାବର ରୋପଡରେ ଏଫଆଇଆର ରୁଜୁ କରାଯାଇଥିଲା। ଖଲିସ୍ତାନକୁ ନେଇ କେଜ୍ରିଓ୍ଵାଲଙ୍କ ବିରୋଧରେ କୁମାର ବିଶ୍ଵାସ ଆପତ୍ତିଜନକ ଟିପ୍ପଣୀ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
କୁମାର ବିଶ୍ଵାସ ଅଦାଲତରେ ଯାଚିକା ଦାଖଲ କରି କହିଥିଲେ, ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆଇନର ଦୁରୁପଯୋଗ କରାଯାଇଛି ଏବଂ ଏହା ରାଜନୈତିକ ଅଭିସନ୍ଧିମୂଳକ। ଯେଉଁ ଭଳି ତଦନ୍ତକାରୀ ସଂସ୍ଥା କାମ କରୁଛି ସେଥିରୁ ସ୍ପଷ୍ଟ ଯେ, ଏମିତି ପ୍ରକ୍ରିୟା ଆପଣେଇ ଆବେଦନକାରୀଙ୍କ ସ୍ଵାଧୀନତାକୁ କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ କରାଯାଉଛି।
ପଞ୍ଜାବରେ ରୂପନଗରର ସଦର ଥାନାରେ ଏପ୍ରିଲ ୧୨ରେ କୁମାର ବିଶ୍ଵାସଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିଓ୍ଵାଲ ବିଚ୍ଛିନ୍ନତାବାଦୀଙ୍କ ସମର୍ଥନ କରୁଥିବା ଅଭିଯୋଗ କରିଥିଲେ କୁମାର ବିଶ୍ଵାସ। ପଞ୍ଜାବ ପୋଲିସ ଏପ୍ରିଲ ୨୦ରେ ଗାଜିଆବାଦ ସ୍ଥିତ ବିଶ୍ଵାସଙ୍କ ଘରେ ପହଞ୍ଚିଥିଲା ଏବଂ ପଚରାଉଚୁରା ପାଇଁ ନୋଟିସ୍ ଜାରି କରିଥିଲା।