ସାଙ୍ଗ ପରିଚୟ ଚୋରି କରି ବନିଲେ ଡାକ୍ତର, ରୋଗୀ ମୃତ୍ୟୁରୁ ଖୋଲିଲା ଗୁମର

ସାଙ୍ଗର ସାର୍ଟିଫିକେଟ ଚୋରି କରି ବନିଲେ ଡାକ୍ତର । ଚିକିତ୍ସା ବେଳେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ବାବୁଙ୍କ ହେଲା ପର୍ଦ୍ଦାଫାସ ।

ଭୋପାଳ:  ‘3 idiots’ଷ୍ଟାଇଲରେ ଠକିଲେ ଯୁବକ । ସାଙ୍ଗର ସାର୍ଟିଫିକେଟ ବ୍ୟବହାର କରି ବନିଲେ ଡାକ୍ତର । ବର୍ଷ ବର୍ଷ ଧରି କରୁଥିଲେ ଚିକିତ୍ସା । ହେଲେ ଚିକିତ୍ସା ସମୟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହେବାରୁ ଡାକ୍ତର ବାବୁଙ୍କର ହେଲା ପର୍ଦ୍ଦାଫାସ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ ।

ସୂଚନାମୁତାବକ, ଜଣେ ନକଲି ଡାକ୍ତର ବର୍ଷ ବର୍ଷ ଧରି ଲୋକଙ୍କ ଜୀବନ ସହିତ ଖେଳୁଥିଲେ ଏବଂ ଅନ୍ୟ କାହାର କାଗଜପତ୍ର ଆଧାରରେ ଡାକ୍ତର ବନି ଲୋକଙ୍କ ସେବା କରୁଥିଲେ । ଏହି ଘଟଣା ଘଟିଛି ଜବଲପୁରର ମାର୍ବଲ ସିଟି ହସ୍ପିଟାଲରେ। ଏହି ଘଟଣାର ଆରମ୍ଭ ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିଲା। ଯେତେବେଳେ ଜବଲପୁର ନିବାସୀ ରେଳ ଅଧିକାରୀ ମନୋଜ କୁମାର ମହାୱାର, ତାଙ୍କ ମାଆ ଶାନ୍ତି ଦେବୀ ମହାୱାରଙ୍କୁ ଚିକିତ୍ସା ପାଇଁ ନେପିଅର ଟାଉନ ସ୍ଥିତ ମାର୍ବଲ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସା ସମୟରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା।

ପ୍ରଥମେ ଏହା ଏକ ସାଧାରଣ ଘଟଣା ପରି ମନେ ହେଉଥିଲା, କିନ୍ତୁ ଯେତେବେଳେ ମୃତକଙ୍କ ପୁଅ ମେଡିକାଲ ରିପୋର୍ଟ ଦେଖିଲେ, ସେଥିରେ ଡାକ୍ତର ବ୍ରିଜରାଜ ଉଇକେଙ୍କ ନାମ ସାମ୍ନାକୁ ଆସିଲା। ଯେତେବେଳେ ମନୋଜ ଏହି ଡାକ୍ତରଙ୍କୁ ଭେଟିବାକୁ ଚାହିଁଲେ, ହସ୍ପିଟାଲ ପ୍ରଶାସନ ତାଙ୍କୁ ଭେଟିବାକୁ ଦେଲେ ନାହିଁ। ଫଳରେ ମନୋଜ ତାଙ୍କ ସ୍ତରରେ ତଦନ୍ତ ଆରମ୍ଭ କରିଥିଲେ। ରିପୋର୍ଟରେ ଯାହାଙ୍କ ନାମ ଉଲ୍ଲେଖ ଥିଲା, ଡକ୍ଟର ବ୍ରିଜରାଜ ଉଇକେ ପ୍ରକୃତରେ ଜଣେ ଚିତ୍ରକର ବୋଲି ଜଣାପଡ଼ିଲା। ମନୋଜ ତାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ସେ ଡାକ୍ତର ନୁହଁନ୍ତି ବରଂ ଜଣେ ପେଣ୍ଟର ଏବଂ ହସ୍ପିଟାଲର ବୋର୍ଡରେ ଥିବା ଚିତ୍ର ତାଙ୍କର ନୁହେଁ। ଏହା ତାଙ୍କ ସ୍କୁଲ ବନ୍ଧୁ ସତ୍ୟେନ୍ଦ୍ର ସିଂହଙ୍କର।

ଅନ୍ୟ ପରିଚୟ ପତ୍ର ଆଧାରରେ MBBSରେ ଏଣ୍ଟ୍ରୀ

ଏହାପରେ ଘଟଣାଟି ଅଲଗା ମୋଡ଼ ନେଇଥିଲା । ବ୍ରିଜରାଜ ସିଂହ ଉଇକେ କୁହିଛନ୍ତି ଯେ, ବହୁତ ବର୍ଷ ପୂର୍ବେ ସତ୍ୟେନ୍ଦ୍ର ତାଙ୍କୁ ସାହାଯ୍ୟ କରିବା ବାହାନାରେ ତାଙ୍କର ଦଶମ, ଦ୍ୱାଦଶ ମାର୍କ ସିଟ୍ ଏବଂ ଜାତି ପ୍ରମାଣପତ୍ର ନେଇଯାଇଥିଲେ। ସେ କହିଲେ ଯେ ସେ ତାଙ୍କୁ ପାଠପଢ଼ାରେ ସାହାଯ୍ୟ କରିବେ। କିନ୍ତୁ ସେ ଜାଲିଆତି କରି ସେହି ଡକ୍ୟୁମେଣ୍ଟରେ MBBS ରେ ଆଡମିସନ୍ ନେଇଥିଲେ ଏବଂ ଡାକ୍ତର ବନିଯାଇଥିଲେ। ମୁଁ ଜଣେ ଶ୍ରମିକ ଭାବରେ କାମ କରୁଛି ଏବଂ ସେ ମୋ ନାମରେ ଏକ ଡାକ୍ତରଖାନା ଚଳାଉଥିଲା। ଏହି ଖୁଲାସା ପରେ, ରେଳ ଅଧିକାରୀ ମନୋଜ ମହାୱାର ଓମତି ପୋଲିସ ଷ୍ଟେସନରେ ଏକ FIR ଦର୍ଜ କରିଥିଲେ। ପୋଲିସ ଏହି ମାମଲାର ଏବେ ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯେଉଁ କାଗଜପତ୍ର ଆଧାରରେ MBBS ପାଠପଢ଼ା କରାଯାଇଥିଲା। ସେ ବ୍ରିଜରାଜ ଉଇକେଙ୍କର । ଯିଏ ଜଣେ ଡାକ୍ତର ନୁହଁନ୍ତି ବରଂ ଜଣେ ଶ୍ରମିକ। ଏନେଇ ଅଭିଯୁକ୍ତ ଡାକ୍ତରଙ୍କୁ ଖୋଜା ଚାଲିଛି।

ହସ୍ପିଟାଲ ବିରୋଧରେ ଅଭିଯୋଗକୁ ଖାରଜ କରାଯାଇଥିଲା

ଏହି ସମ୍ପୂର୍ଣ୍ଣ ମାମଲାରେ ଆଞ୍ଚଳିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ମିଶ୍ରା କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ଦୁଇଥର ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ଡାକ୍ତରୀ ପରିଷଦ ଦ୍ୱାରା ମଧ୍ୟ ଡକ୍ୟୁମେଣ୍ଟଗୁଡ଼ିକୁ ଭେରିଫିକେସନ କରାଯାଇଥିଲା, ଯେଉଁଥିରେ ସେଗୁଡ଼ିକ ଠିକ ଅଛି ବୋଲି ଜଣାପଡିଥିଲା। ସେ କହିଛନ୍ତି ଯେ, ଯଦି ଜାଲିଆତି ହୋଇଛି, ତେବେ ଏହା ଏକ ଗଭୀର ଷଡ଼ଯନ୍ତ୍ର। ତେବେ ହସ୍ପିଟାଲ ବିରୋଧରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ମାର୍ବଲ ସିଟି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ନାଗରାଜ ।