ଯାଜପୁର,୧୪ା୬: ଆସନ୍ତାକାଲି ଅର୍ଥାତ୍ ରବିବାର ଯାଜପୁର ଗସ୍ତରେ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାଜପୁର ଜିଲାରେ ବ୍ୟାପିଥିବା ଝାଡ଼ାବାନ୍ତି ସ୍ଥିତି ସମୀକ୍ଷା କରିବାକୁ ମନ୍ତ୍ରୀ ତାଙ୍କର ଏହି ଗସ୍ତ କରିବେ ।
ଝାଡ଼ାବାନ୍ତି ବ୍ୟାପିବା ପରେ ମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ ହେବ । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଥମେ ଯାଜପୁରର ବଡ଼ଚଣା, ଧର୍ମଶାଳା, ଏବଂ ମଧୁବନ ହସ୍ପିଟାଲ ଯିବେ । ପରେ ଯାଜପୁର ଜିଲା ମୁଖ୍ୟ ଚିକିିିତ୍ସାଳୟ ଯାଇ ସ୍ଥିତି ସମୀକ୍ଷା କରିବେ । ଏହା ପରେ ଆନନ୍ଦପୁର ହସ୍ପିଟାଲ ମଧ୍ୟ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ।
ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମୋଟ ୮ ଜଣ କଲେରାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ସଂଗୃହୀତ ୪୧ଟି ମଳ ନମୁନା ମଧ୍ୟରୁ ୮ଟି କଲେରା ପାଇଁ ପଜିଟିଭ୍ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ଯେ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ୧୦ ଦିନ ମଧ୍ୟରେ ଜଳ ପରୀକ୍ଷଣ ଓ ସ୍ୱଚ୍ଛତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ।
ଏଦିଗରେ, ଓଡ଼ିଶା ସରକାର ଚଳିତ ବର୍ଷା ଋତୁରେ ଜଳଜନିତ ରୋଗ ଯଥା ମ୍ୟାଲେରିଆ, ଝାଡ଼ା, ଡେଙ୍ଗୁ ଓ କଲେରା ନିୟନ୍ତ୍ରଣ ପାଇଁ ଏକ ବୃହତ ଉଦ୍ୟମ ଘୋଷଣା କରିଛନ୍ତି ବୋଲି ଶୁକ୍ରବାର ସୂଚନା ଓ ଜନସଂପର୍କ (ଆଇଏଣ୍ଡପିଆର) ବିଭାଗର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ସୂତ୍ର ଅନୁଯାୟୀ, ରାଜ୍ୟ ସରକାର ବର୍ଷା ଋତୁରେ ଅଧିକ ପ୍ରଚଳିତ ଜଳଜନିତ ରୋଗ ଯଥା ମ୍ୟାଲେରିଆ, ଝାଡ଼ା ଓ କଲେରା ଆଦିର ବୃଦ୍ଧିକୁ ରୋକିବା ପାଇଁ ଏକ ବ୍ୟାପକ ଉଦ୍ୟମ ଆରମ୍ଭ କରିଛନ୍ତି।