ଆଶ୍ଚର୍ଯ୍ୟଜନକ ଘଟଣା! ଜଣେ ବ୍ୟକ୍ତିଙ୍କର ଛାତିର ଡାହାଣ ପଟେ ରହିଥିଲା ‘ହୃଦୟ’, ଜୀବନ ପ୍ରତି ବିପଦ ଅଛି କି

ନୂଆଦିଲ୍ଲୀ: ମଣିଷର ଶରୀରର ଛାତିର ବାମ ପଟେ ହୃଦୟ ବା ଦିଲ୍ ରହିଥାଏ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କର ଶରୀରର ଡାହାଣ ପଟେ ତାଙ୍କର ହୃଦୟ ରହିଥିଲା । ଏହି ଘଟଣାକୁ ନେଇ ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣା ପଛର ରହସ୍ୟ ବିଷୟରେ ଅଧିକାଂଶ ଲୋକ ଅଜ୍ଞାତ ଥାଆନ୍ତି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶରୁ ଏଭଳି ଏକ ବିରଳ ଘଟଣା ସାମ୍ନାକୁ ଆସିଛି । କାକୀନାଡ଼ା ଜିଲ୍ଲାର ତାଲାରେବୁର ବାସିନ୍ଦା ଶ୍ରୀନିବାସଙ୍କ ଛାତିର ଡାହାଣ ପଟେ ତାଙ୍କର ହୃଦୟ ରହିଥିବା ଡାକ୍ତର ଯାଞ୍ଚ କରିବା ପରେ ଜାଣିପାରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଚାରିଆଡ଼େ ଭାଇରାଲ୍ ହେବାରେ ଲାଗିଥିଲା । ତେବେ ଡାକ୍ତରମାନେ ଏହି ରୋଗକୁ ‘ଡେକ୍ସଟ୍ରୋକାର୍ଡିଆ’ ବୋଲି ନାମିତ କରିଛନ୍ତି ।

ପୂର୍ବରୁ ଶ୍ରୀନିବାସ ହୃଦ ସମସ୍ୟା ସହିତ ଜଡ଼ିତ ଥିବାରୁ ଚିକିତ୍ସା କରାଇବା ପାଇଁ ସେ ଏକ ଘରୋଇ ହସ୍ପିଟାଲକୁ ଯାଇଥବଲେ । ତେବେ ଛାତି ଏକ୍ସ-ରେ କରାଇବା ପରେ ତାଙ୍କର ଛାତିର ଡାହାଣ ପଟେ ତାଙ୍କର ହୃଦୟ ରହିଥିବା ଜଣାପଡ଼ିଥିଲା । ଶ୍ରୀନିବାସଙ୍କ ହୃଦୟକୁ ରକ୍ତ ସପ୍ଲାଏ କରୁଥିବା ରକ୍ତନଳୀ ଦୁଇ ପଟୁ ଜାମ୍ ହୋଇଯାଇଥିଲା । ତେଣୁ ଡାକ୍ତରମାନେ ଦୁଇଟି ଯାକ ବ୍ଲକେଜକୁ ସଫା କରିବା ସହିତ ସର୍ଜରୀ କରିଥିଲେ । ଏହାର ଦୁଇଦିନ ପରେ ରୋଗୀକୁ ଘରକୁ ପଠାଇ ଦିଆଯାଇଥିଲା । ପ୍ରତି ଦୁଇ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ ବୋଲି ଜଣାପଡ଼ିଛି ।

ତେବେ ଏହି ସମସ୍ୟା ଦେଖାଦେଲେ ଶରୀରର ବାହାର ଅଂଶର କୌଣସି କ୍ଷତି ହୁଏ ନାହିଁ । ମାତ୍ର ହୃଦୟ, ଫୁସଫୁସ ଓ ଅନ୍ୟ ଭିତର ଅଂଶ ଉପରେ ପ୍ରଭାବ ପଡ଼ିପାରେ । ତେଣୁ ରୋଗୀଙ୍କୁ ଆଲର୍ଟ ରହିବା ଜରୁରୀ ବୋଲି ଡାକ୍ତର କହିଛନ୍ତି । ଗର୍ଭାବସ୍ଥା ସମୟରୁ ବଂଶାନୁକ୍ରମ ଅନୁସାରେ ଏଭଳି ଦେଖିବାକୁ ମିଳିଥାଏ । ଏହା ରୋଗ ଉପରେ ଏବେ ଅଧିକ ଗବେଷଣା ଜାରି ରହିଛି । ଏହି ରୋଗ ପାଇଁ କୌଣସି ଚିକିତ୍ସାର ଆବଶ୍ୟକତା ନଥିବା ଡାକ୍ତର କହିଛନ୍ତି ।